ସତ୍ୟବାଦୀ ଏବଂ ପିପିଲିରେ ବାତ୍ୟା ‘ଫୋନି’ କ୍ଷୟକ୍ଷତିର ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | June 21, 2019 IST

ନିମାପଡା ୨୧|୬: ବାତ୍ୟା ଫୋନି କ୍ଷୟକ୍ଷତିର ଆକଳନ ପାଇଁ ପୁଣି ଓଡିଶାରେ କେନ୍ଦ୍ରୀୟ ଟିମ୍  । ଆଜି ୧୧ ଜଣିଆ ଟିମ୍ ପୁରୀ ଜିଲ୍ଲା ସତ୍ୟବାଦୀ ଏବଂ ପିପିଲି ଯାଇ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରୁଛନ୍ତି । ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ସହ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରୁଛନ୍ତି । ଏହି ଟିମରେ ଅଜୟ କୁମାର, ବିବେକ ଗୋଏଲ, ଏସ୍.ଏସ୍.ମୋଦି ଏବଂ ବୀରେନ୍ଦ୍ର ସିଂହ ଅଛନ୍ତି । ଏହା ସହ ଓଡ଼ିଶାରେ ଅବସ୍ଥାପିତ ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗର ଆଞ୍ଚଳିକ ଅଧିକାରୀ ରାକେଶ କୁମାର ଏବଂ କେନ୍ଦ୍ର ଜଳ ସଂପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅମ୍ରିଶ ପାଲ୍ ସିଂହ ମଧ୍ୟ ବାତ୍ୟା କ୍ଷୟକ୍ଷତି ବୁଲି ଦେଖୁଛନ୍ତି । ଏହା ପରେ ସଂଧ୍ୟାରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିବେ । ୨୨ ତାରିଖରେ ଟିମ୍ ଦିଲ୍ଲୀ ଫେରିଯିବ । ପୂର୍ବରୁ ଏହି ପ୍ରତିନିଧି ଦଳ ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟି ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ, ଏସ୍.ଆର୍.ସି.ଙ୍କ ସହ ବୈଠକ ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.