ଫୋନି କ୍ଷୟକ୍ଷତି ଆକଳନ ପାଇଁ ୧୨ରେ ଆସିବେ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର ୧୦|୫: ‘ଫୋନି’ କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୧୨ ତାରିଖ ଦିନ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସୁଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏକ ଆନ୍ତଃ ମନ୍ତ୍ରଣାଳୟ ଦଳ  ପ୍ରଭାବିତ ଜିଲ୍ଲା ବୁଲି କ୍ଷୟକ୍ଷତିର ତ୍ୱରିତ୍‌ ଆକଳନ କରିବେ ବୋଲି ମନ୍ତ୍ରଣାଳୟ ତରଫରୁ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । କେନ୍ଦ୍ରୀୟ ଦଳ କେଉଁ ଅଞ୍ଚଳ ବୁଲି ଦେଖିବେ ସେ ସଂପର୍କରେ କେନ୍ଦ୍ରକୁ ଆଗୁଆ ମ୍ୟାପ୍‌ ଦେବାକୁ ରାଜ୍ୟକୁ କୁହାଯାଇଛି । ଏହି ଟିମ୍‌ ୧୨ ତାରିଖ ସଂଧ୍ୟାରେ ଭୁବେନଶ୍ୱର ପହଞ୍ଚିବ । ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ‘ଫୋନି’ ପ୍ରଭାବିତ କ୍ଷେତ୍ର ବୁଲିବେ ।

କେନ୍ଦ୍ରୀୟ ଟିମ୍‌ ତୁରନ୍ତ ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୬ ତାରିଖରେ ପ୍ରତିଶ୍ରୁତି ଦେଇଥିଲେ । ଆକାଶମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ସେ ଭୁବନେଶ୍ୱରରେ  ଓଡ଼ିଶା ସରକାରଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୧ ହଜାର କୋଟି ଟଙ୍କା ସହାୟତା ଘୋଷଣା କରିବା ସହ ପ୍ରତିଶ୍ରୁତି ଦେଖଇଥିଲେ ଯେ ବାତ୍ୟା ପୁନରୁଦ୍ଧାର ପାଇଁ ମ୍ୟାନ୍‌, ମସିନ୍‌ କିମ୍ବା ଅର୍ଥର ଅଭାବ ରହିବ ନାହିଁ । କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ପରେ ଅଧିକ ସହାୟତା ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.