ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ ; ଗଜପତି ଓ ଗଞ୍ଜାମ ଜିଲ୍ଲା ଯାଇ ‘ତିତଲି’ କ୍ଷୟକ୍ଷତିର ଅନୁଧ୍ୟାନ କରିବେ

Published By : Prameya-News7 Bureau | November 01, 2018 IST

ଭୁବନେଶ୍ବର ୧|୧୧: ତିତଲି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶାରେ ଆସି ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍  । ଏସ୍ .କେ ଶଶୀଙ୍କ ନେତୃତ୍ବରେରେ ୮ ଜଣିଆ ଟିମ୍  ପ୍ରଭାବିତ ଅଞ୍ଚଳ ବୁଲିବେ ।ସେମାନେ ୨ଟି ଟିମ୍ ରେ ଭାଗ ହୋଇ ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଯିବେ  ।ପରେ ନଭେମ୍ବର ୨ରେ ସଚିବାଳୟରେ ବୈଠକ ବସିବ ବୋଲି ଯୁଗ୍ମ ରିଲିଫ କମିସନର ପ୍ରଭାତ ରଂଜନ ମହାପାତ୍ର ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଶକ୍ତି ମନ୍ତ୍ରଣାଳୟର ବନ୍ଦନା ସିଙ୍ଘଲ, ସଡ଼କ ପରିବହନ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶ ରାକେଶ କୁମାର, କେନ୍ଦ୍ରୀୟ ଜଳ ଆୟୋଗର ଅଧିକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ ପ୍ରମୁଖ ଅଛନ୍ତି । କେନ୍ଦ୍ରୀୟ ଟିମ୍  ବିମାନରେ ଭୁବନେଶ୍ବର ଆସିବା ପରେ ଆଉ ଏକ ବିମାନରେ ରଙ୍ଗେଗଇଲୁଣ୍ଡା ଯିବେ । ସେଠାରୁ  ତିତଲି ପ୍ରଭାବିତ ଅଞ୍ଚଳକୁ ଯିବେ । ଟିମ୍  ସ୍ଥିତି ଅନୁଧ୍ୟାନ କରିବାର ସପ୍ତାହକ ମଧ୍ୟରେ ସେମାନଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ରିପୋର୍ଟ ପାଇବା ପରେ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ପୂର୍ବରୁ ରାଜ୍ୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି ସହିତ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪.୦୯ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ତିତଲିରେ ମୋଟ୍ ୨୭ ଶହ ୭୦ କୋଟି ଟଙ୍କା କ୍ଷତି ହୋଇଥଇବା ରାଜ୍ୟ ସରକାର ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.