Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପଶ୍ଚିମବଙ୍ଗରେ ବିଜେପିର ସବୁ ନିର୍ବାଚିତ ବିଧାୟକଙ୍କୁ ଯୋଗାଇ ଦିଆଯିବ କେନ୍ଦ୍ରୀୟ ସୁରକ୍ଷା, ପରାଜିତ ପ୍ରାର୍ଥୀଙ୍କୁ ମଧ୍ୟ ମିଳିବ ଲାଭ

13/05/2021 at 8:39 PM

କୋଲକାତା ୧୩।୫: ପଶ୍ଚିମବଙ୍ଗର ରାଜନୈତିକ ଛବି ଦ୍ରୁତ ବଦଳିବାରେ ଲାଗିଛି। ରାଜ୍ୟରେ ଭୋଟ ଗଣନା ପରେ ହିଂସା ବ୍ୟାପିବା ଯୋଗୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ସମସ୍ତ ନିର୍ବାଚିତ ଓ ପରାଜିତ ବିଜେପି ନେତାଙ୍କ ସୁରକ୍ଷା ଉପରେ ପ୍ରାଥମିକତା ଦେଉଛି। ଏପରି ନେତାଙ୍କୁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦେବାକୁ ବିଜେପିର ତତ୍ପରତା ଏବେ ରାଜ୍ୟ ରାଜନୀତି ଉପରେ ପ୍ରଭାବ ପକାଇଛି।

ରାଜ୍ୟ ବିରୋଧୀ ଦଳନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୧୬ ଜଣ ବିଜେପି ନେତାଙ୍କୁ ପୂର୍ବରୁ ଜେଡ୍ କ୍ୟାଟଗରୀସୁରକ୍ଷା ପ୍ରଦାନ କରାଯାଇଛି। ଏବେ ବାକି ନେତାଙ୍କ ସୁରକ୍ଷା କଡ଼ାକଡ଼ି କରିବାକୁ ଯୋଜନା ହେଉଥିବା ବେଳେ ଶାସକ ଟିଏମସି ରାଜ୍ୟର ଆଇନ ଶୃଙ୍ଖଳାରେ କେନ୍ଦ୍ରର ଏହା ଅନାଧିକାର ହସ୍ତକ୍ଷେପ ବୋଲି କହିଛି। ତେବେ କେବଳ ଟିଏମସି ନୁହେଁ ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ମଧ୍ୟ ଏହା  ଭୁଲ ବାର୍ତ୍ତା ଦେଉଛି ବୋଲି କହିଛି।

ନିର୍ବାଚନ ପରବର୍ତ୍ତି ହିଂସାରେ ଗ୍ରାଉଣ୍ଡ ଜିରୋରେ ରହି କାମକରୁଥିବା କର୍ମୀ ଓ ନେତା ଅଧିକ ବିପଦରେ ଅଛନ୍ତି। ତେବେ କେନ୍ଦ୍ର ସରକାର କେବଳ ନିର୍ବାଚିତ ବିଧାୟକ ଓ ପରାଜିତ ପ୍ରାର୍ଥୀଙ୍କ ସୁରକ୍ଷା ଉପରେ ନଜର  ଦେଉଥିବାର ଅଭିଯୋଗ ହେଉଛି। ହେଲେ ଅସଲ କଥା କିନ୍ତୁ ଭିନ୍ନ ବୋଲି ଏବେ ଚର୍ଚ୍ଚା ହେଉଛି। ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିବା ଲାଗି ବିଜେପିର ନିର୍ଭରଯୋଗ୍ୟ ପ୍ରାର୍ଥୀ ନଥିଲେ। ଏଣୁ ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଭିନ୍ନଦଳର ଲୋକପ୍ରୀୟ ନେତାଙ୍କୁ ଦଳକୁ ଭିଡି ନେଇଥିଲା।

ନିର୍ବାଚନରେ ବିଜେପି ଯେପରି ପରିବର୍ତ୍ତନ ଆଶା ରଖିଥିଲା ଓ ଯେପରି ପ୍ରଚାର କରିଥିଲା ସେପରି ଫଳାଫଳ ଆସି ନାହିଁ। ଏଥିରେ ବେଙ୍ଗଲରେ ବିଜେପିର ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଦଳକୁ ଡକା ଯାଇଥିବା ନେତା ଅଛନ୍ତି। ଏଣୁ ନିର୍ବାଚନ ପରବର୍ତ୍ତି ପରିଦୃଶ୍ୟରେ ଏହି ନେତାମାନେ ଦଳ ପ୍ରତି ଧୋକା କରିବାର ମଧ୍ୟ ଅନେକ ସମ୍ଭାବନା ରହିଛି। ଏଣୁ କେନ୍ଦ୍ରୀୟ ସୁରକ୍ଷା ବାହାନାରେ ସେମାନଙ୍କ ସ୍ୱାଚ୍ଛନ୍ଦ୍ୟ ଅପହରଣ ଲାଗି କେନ୍ଦ୍ରୀୟ ନେତୃତ୍ୱଙ୍କ ଏକ ଚାଲ ହୋଇଥାଇପାରେ ବୋଲି କୁହାଯାଉଛି।

ତେବେ ଏଭଳିଚର୍ଚ୍ଚାରେ ଆଗକୁ ଆସିଛନ୍ତି ପ୍ରଦେଶ ବିଜେପି ସଭାପତି ଦିଲ୍ଲୀପ ଘୋଷ। ସେ କହିଛନ୍ତି ଯେ ରାଜ୍ୟରେ ଯେଉଁଭଳି ପରିସ୍ଥିତି ଲାଗି ରହିଛି ଏଥିରେ ନିର୍ବାଚିତ ବିଜେପି ନେତାମାନେ କେଉଁ ଆଡେ ଯିବା ଆସିବା କରିବା ସମ୍ଭବ ନୁହେଁ।  ଏହି କାରଣରୁ ପାର୍ଟି ସେମାନଙ୍କ ସୁରକ୍ଷା ଲାଗି ଏଭଳି ବ୍ୟବସ୍ଥା କରିଥିବା ଘୋଷ କହିଛନ୍ତି। ନିର୍ବାଚନ ପରବର୍ତ୍ତି ହିଂସାକୁ ଦେଖି କେନ୍ଦ୍ରୀୟ ନେତୃତ୍ୱ ପ୍ରସଙ୍ଗରେ ମୋର ରାୟ ମାଗିଥିଲେ ବୋଲି ଘୋଷ କହିଛନ୍ତି। ଏହି ରାୟ ଆଧାରରେ ନେତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦଳ ପଦକ୍ଷେପ ନେଇଥିବା ସେ କହିଛନ୍ତି।

ସେହିପରି ରାଜ୍ୟରେ ଦଳର ନିର୍ବାଚନ ଦାୟିତ୍ୱରେ ଥିବା କୈଲାଶ ବିଜୟ ବର୍ଗୀୟ ମଧ୍ୟ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନାରେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସମସ୍ତ ନିର୍ବାଚିତ ବିଧାୟକଙ୍କ ସୁରକ୍ଷା ଲାଗି ନିବେଦନ କରିଥିଲେ ବୋଲି କହିଛନ୍ତି। କାରଣ କାମ ଲାଗି ବିଧାୟକମାନେ କେଉଁ ଆଡକୁ ଯାଇ ମଧ୍ୟ ପାରୁ ନଥିଲେ। ଯଦି ହିଂସା ଥମେ ତେବେ ଏ ନେଇ ପୁନର୍ବିଚାର କରାଯାଇପାରେ ବୋଲି ସେ କହିଛନ୍ତି। ସେପଟେ ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ଦଳ ମାତ୍ରାଧିକ ରକ୍ଷଣଶୀଳ ହେବା ବିଜେପି ବିଧାୟକଙ୍କୁ ମଧ୍ୟ କ୍ଷୁବ୍ଧ କରିଛି। ଏଥିରେ ସାଂସଦ ସଦସ୍ୟ ଥାଇ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିବା ସାଂସଦମାନେ ବିଜୟୀ ହେବା ପରେ ବିଧାନସଭା ବଦଳେ ସଂସଦକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଏଣୁ ବିଧାସଭାରୁ ସେମାନେ ଇସ୍ତଫା ଦେବା ପରେ ରାଜ୍ୟରେ ବିଜେପି ଆହୁରି ବାମନ ହୋଇଯାଇଛି। ଏବେ ବିଜେପିର ୭୭ ଜଣ ବିଧାୟକ ବଦଳେ ବିଧାନସଭାରେ ଦଳ ୭୫କୁ ଖସି ଆସିଛି।  

   Related Posts