ବିଜେପିର ମିଶନ ୟୁପି: ଦଳୀୟ ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି କର୍ମୀଙ୍କୁ ଦେଲେ ଗୁରୁ ମନ୍ତ୍ର

Published By : Prameya-News7 Bureau | October 30, 2021 IST

କାନପୁର ୩୦।୧୦: ଆସନ୍ତା ବର୍ଷ ଦେଶରେ ରାଜନୈତିକ ଦୃଷ୍ଟିକୋଣରୁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଶାସକ ବିଜେପି ପୁଣି ଥରେ କ୍ଷମତା ହାତେଇବା ପାଇଁ ଅଣ୍ଟା ଭିଡିଛି। ଦଳ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପି ବିଜେପି ପ୍ରଭାରୀ କରିଛି। ଏହା ପରେ ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ପ୍ରଦେଶରେ ସକ୍ରିୟ ହୋଇ ଉଠିଛନ୍ତି। ଏହି କ୍ରମରେ ସେ ଆଜି ଉତ୍ତର ପ୍ରଦେଶ ବିଜେପି କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର।

ଚାରିଦିନିଆ ୟୁପି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଉତରପ୍ରଦେଶର କାନପୁରରେ ଆୟୋଜିତ କାନପୁର–ବୁନ୍ଦେଲଖଣ୍ଡ କ୍ଷେତ୍ରର କାର୍ଯ୍ୟକର୍ତା ବୈଠକରେ ଯୋଗଦେଇ କାର୍ଯ୍ୟକର୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି। ଏହି ଅବସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୟୁପିରେ ୨୦୨୨ ନିର୍ବାଚନ ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ବୈଠକ ଅନୁଷ୍ଠିତ ହେଉଛି । ଦଳରେ ଅଢ଼େଇ କୋଟି ସକ୍ରିୟ ସଦସ୍ୟ ଥିବା ବେଳେ ଆହୁରି ଦେଢ କୋଟି ସଦସ୍ୟଙ୍କୁ ଯୋଡ଼ିବା ପାଇଁ ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲକ୍ଷ୍ନୌ ଠାରେ ‘ମେରା ପରିବାର ବିଜେପି ପରିବାର’ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହାବ୍ୟତିତ ଉତରପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ଗାଡ଼ିର ମଧ୍ୟ ଶୁଭାରମ୍ଭ କରାଯାଇଛି । ୨୦୨୨ରେ ୟୁପି ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ସିଟରେ ବିଜୟୀ ହେବା ସହ ଉତ୍ତର ପ୍ରଦେଶରେ ପୁଣି ଥରେ ଇତିହାସ ରଚିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନହିତକାରୀ ଯୋଜନା ୟୁପିବାସୀଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତନ ଆଣିଥିବା ବେଳେ ୨୦୨୨ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆଶୀର୍ବାଦ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଉତ୍ତରପ୍ରଦେଶରେ ଆଜି ଗୁଣ୍ଡାରାଜ ସମାପ୍ତ ହୋଇଛି । ଏହାବ୍ୟତିତ କୋରନା ସମୟରେ ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନାରୁ ଅନେକ ଲୋକ ସେବା ପାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ୟୁପିବାସୀଙ୍କ ଆସ୍ଥା ବଢ଼ିଛି । ମୋଦି ସରକାର ନିର୍ଣ୍ଣାୟକ, ଇମାନ୍ଦାର, ଦମଦାର ସରକାର ତଥା ସମସ୍ତଙ୍କ ସରକାର ଏବଂ ସମସ୍ତଙ୍କ ପ୍ରୟାସରେ ସରକାର । ଏଥର ନିଶ୍ଚିତ ଭାବରେ ଉତ୍ତର ପ୍ରଦେଶର ଲୋକମାନେ ବିଜେପି ଉପରେ ପୁଣି ଥରେ ଜନଆଶୀର୍ବାଦ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଆଜିର ବୈଠକରେ ୟୁପି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, ପ୍ରଦେଶ ମହାମନ୍ତ୍ରୀ ସଂଗଠନ ସୁନୀଲ ବଂଶଲଙ୍କ ସମେତ ମଣ୍ଡଳ ଓ ବୁଥ ଏବଂ ଜିଲ୍ଲା ସ୍ତରରୁ ଅନେକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.