କେନ୍ଦ୍ରୀୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ଭାଇ ଅଙ୍କୁର ଅଗ୍ରଓ୍ବାଲଙ୍କ ସନ୍ଦେହଜନକ ମୃତ୍ୟୁ : ମୃତଦେହ ନିକଟରୁ ମିଳିଲା ବନ୍ଧୁକ

Published By : Prameya-News7 Bureau | January 18, 2021 IST

ଲକ୍ଷ୍ନୌ ୧୮/୦୧ : ଉତ୍ତର ପ୍ରଦେଶର ସହାରନପୁରରେ କେନ୍ଦ୍ରୀୟ ସଂଯୁକ୍ତ ସଚିବ ତଥା ଆଇଏଏସ ଅଧିକାରୀ ଲବ୍ ଅଗ୍ରଓ୍ବାଲଙ୍କ ଭାଇ ଅଙ୍କୁର ଅଗ୍ରଓ୍ବାଲଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ଅଙ୍କୁର ଅଗ୍ରଓ୍ବାଲଙ୍କ ମୃତ ଦେହକୁ ପିଲଖନୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ଶବ ଜବତ ହୋଇଥିବା ସ୍ଥାନରୁ ଏକ ଲାଇାସନ୍ସ ପ୍ରାପ୍ତ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ମୃତକ ଅଙ୍କୁର ଅଗ୍ରୱାଲ ହେଉଛନ୍ତି ଜିଲ୍ଲାର ବିଶିଷ୍ଟ ସିଏ. କେଜି. ଅଗ୍ରୱାଲଙ୍କ ପୁଅ। ଶବ ଚିହ୍ନଟ ହେବା ପରେ ଜିଲ୍ଲା ଡାକ୍ତରଖାନା ନିଆଯାଇଛି । ବର୍ତ୍ତମାନ ପୋଲିସ ଘଟଣା ବାବଦରେ କିଛି କହିବା ପାଇଁ ମନା କରିଦେଇଛି । ହାଇପ୍ରୋଫାଇଲ ମାମଲା ହୋଇଥିବାରୁ ପୋଲିସ ଦ୍ରୁତ ଗତିରେ ତଦନ୍ତ ଆରମ୍ଭ କରିଛି ।

ସହାରନପୁର ପୋଲିସ ଏସପି ଅତୁଲ ଶର୍ମା କହିଛନ୍ତି, ପୋଲିସକୁ ଖବର ମିଳିଥିଲା ଯେ, ପିଲଖନୀ ନିକଟ ଏକ ଜମିରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଛି । ଏହା ସହ ଶବ ନିକଟରେ ଏକ ବନ୍ଧୁକ ମଧ୍ୟ ପଡିଛି । ତେବେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ଜବତ କରିଥିଲା । ପରେ ସେ ଲବ ଅଗ୍ରଓ୍ବାଲଙ୍କ ଭାଇ ବୋଲି ଜାଣିବାକୁ ପାଇଥିଲା ପୋଲିସ । ତେବେ ଏହା ହତ୍ୟା କିମ୍ବା ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ଜାଣିବା ପାଇଁ ବିଭିନ୍ନ ଦିଗକୁ ତଦନ୍ତ କରୁଛି ପୋଲିସ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.