୧୮ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳଙ୍କ ଓଡିଶା ଗସ୍ତ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା

Published By : Prameya-News7 Bureau | October 17, 2019 IST

ଭୁବନେଶ୍ବର ୧୭|୧୦: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୧୮ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଆଜିଠାରୁ ଓଡ଼ିଶା ଗସ୍ତରେ ଆସିଛନ୍ତି । ଡାଃ ହିମାଂଶୁ ଭୂଷଣଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଆଜି ଭୁବନେଶ୍ୱରଠାରେ ପହଂଚିବା ପରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ଦଳ ୨ ଭାଗରେ ବିଭକ୍ତ ହୋଇ ମୟୁରଭଂଜ ଓ କନ୍ଧମାଳ ଜିଲ୍ଲା ଗ୍ରସ୍ତ କରିବେ  । ଡାଃ ହିମାଂଶୁ ଭୂଷଣଙ୍କ ନେତୃତ୍ୱରେ ଗୋଟିଏ ଦଳ କନ୍ଧମାଳ ଜିଲ୍ଲା ଏବଂ ଡାଃ ଅରୁଣ କୁମାରଙ୍କ ନେତୃତ୍ୱରେ ଅନ୍ୟ ଦଳଟି ମୟୁରଭଂଜ ଜିଲ୍ଲା ଗ୍ରସ୍ତ କରିବେ  । ଏହି ଗ୍ରସ୍ତ ସମୟରେ ସେମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ , ପରିବାର କଲ୍ୟାର କାର୍ଯ୍ୟକ୍ରମ , ସଂକ୍ରମକ ଓ ଅଣସଂକ୍ରମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାନବ ସମ୍ବଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସୁଦୃଢିକରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅନୁଧ୍ୟାନ କରି ଜ୍ଞାନ ଆହରଣ କରିବେ । ଏଥି ସହିତ ରାଜ୍ୟ ସ୍ୱସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ସଫଳ କାର୍ଯ୍ୟକ୍ରମ ଗୁଡ଼ିକୁ କିପରି ଅନ୍ୟ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି ଆଲୋଚନା କାଳରେ ସୂଚନା ଦେଇଛନ୍ତି  । ଯେଉଁ ଯେଉଁ କ୍ଷେତ୍ରରେ ଅଧିକ କିଛି କରାଯିବାର ଆବଶ୍ୟକତା ଥିବ ସେନେଇ ମଧ୍ୟ ସେମାନେ ପରାମର୍ଶ ଦେବେ  ।  

ବର୍ତମାନ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ମୋ ସରକାର, ୫-ଟି, ମାନବ ସମ୍ବଳ ବ୍ୟବସ୍ଥା ଏବଂ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ସେମାନଙ୍କୁ ଅବଗତ କରାଇଥିଲେ  । ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନିତି ଭିଜନ-୨୦୨୫ ସଂପର୍କରେ ମଧ୍ୟ ଡ଼ଃ ମେହେର୍ଦ୍ଦା ସୂଚନା ଦେଇଥିଲେ  ।  ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟରେ କାର୍ଯ୍ୟକାରୀ ହୋଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିରାମୟ ମାଗଣାରେ ରକ୍ତ ଯୋଗାଣ, ନିଦାନ, ଗର୍ଭବତୀ ମହିଳା ମାନଙ୍କୁ ମାଗଣା ପରିବହନ ବ୍ୟବସ୍ଥା ଆଦି ସଂପର୍କରେ ଆଲୋକପାତ କରିଥିଲେ  ।

ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ଠାରୁ ସିଧାସଳଖ ଟେଲିଫୋନ ମାଧ୍ୟମରେ ସେମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯାଇ ସେଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସଂପର୍କରେ ମଧ୍ୟ ଶାଳିନୀ ପଣ୍ଡିତ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀ, ସ୍ୱତନ୍ତ୍ର ସଚିବ ଡ଼ଃ ହର ପ୍ରସାଦ ପଟ୍ଟନାୟକ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ଼ଃ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ଃ ସରୋଜ ନାୟକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ଅଜିତ୍ ମହାନ୍ତି, ଯୁଗ୍ମ ସଚିବ ଗୁହା ପୁନମ୍ ତାମସ କୁମାରଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

ଦୁଇ ଦଳରେ ବିଭକ୍ତ ହୋଇ ଯାଉଥିବା ଏହି ଦଳ ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ଗ୍ରସ୍ତ କରିସାରିବା ପରେ ୨୧ ତାରିଖ ଦିନ ସଂପୂକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ୨୨ ତାରିଖ ଦିନ ଭୁବନେଶ୍ୱର ଫେରିବେ  । ୨୩ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହିତ ସେମାନଙ୍କ ଗ୍ରସ୍ତ ବିବରଣୀ ଦେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.