ସରକାର ଜାରି କଲେ ନୂଆ ଭ୍ୟାକସିନେସନ୍ ପଲିସୀ: ରାଜ୍ୟର ଜନସଂଖ୍ୟା ଓ ସଂକ୍ରମଣ ହିସାବରେ ମିଳିବ ଭ୍ୟାକସିନ୍

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ ୦୮/୦୬ : ଦେଶରେ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । ଇତି ମଧ୍ୟରେ ଟିକାକରଣ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନରେ କୁହାଯାଇଛି ଯେ କେନ୍ଦ୍ର ସରକାରର ରାଜ୍ୟମାନଙ୍କର ଜନସଂଖ୍ୟା ଓ ସଂକ୍ରମଣ ହାର ଓ ଭ୍ୟାକସିନ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଭ୍ୟାକସିନ ଆବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାର ଦିନେ ପରେ ନୂଆ ଗାଇଡଲାଇନ ଜାରି କରାଯାଇଛି । ସୋମବାର ଦିନ ମୋଦି ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାର ଜୁନ ୨୧ ତାରିଖରୁ ସମସ୍ତ ବୟସ୍କଙ୍କୁ ମାଗଣା କରୋନା ଟିକା ଉପଲବ୍ଧ କରାଇବେ ।

ଭ୍ୟାକସିନ ନଷ୍ଟ ହୋଇଥିବା ନେଇ କେନ୍ଦ୍ର ଓ କିଛି ରାଜ୍ୟ ମଧ୍ୟରେ ବିବାଦ ଚାଲିଛି । ମେ' ମାସରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଝାରଖଣ୍ଡରେ ୩୭%, ଛତିଶଗଡ଼ରେ ୩୦%, ତାମିଲନାଡୁରେ ୧୫.୫%, ଜାମ୍ମୁ କାଶ୍ମୀରରେ ୧୦.୮% ଓ ମଧ୍ୟ ପ୍ରଦେଶରେ ୧୦.୭% ଭ୍ୟାକସିନ ନଷ୍ଟ ହୋଇଥିବା ଦର୍ଶାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ଜାତୀୟ ହାର (୬.୩%) ଠାରୁ ଅଧିକ ନଷ୍ଟ କରୁଛନ୍ତି ।

୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ଜନସଂଖ୍ୟା ଗୋଷ୍ଠୀ ମଧ୍ୟରେ, ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଟିକା ଯୋଗାଣ ସୂଚୀରେ ନିଜର ପ୍ରାଥମିକତା ସ୍ଥିର କରିପାରିବେ । ଅନେକ ରାଜ୍ୟ ବୟସ ବର୍ଗ ମଧ୍ୟରେ ପ୍ରାଥମିକତା ସ୍ଥିର କରିବାକୁ ବିକଳ୍ପ ଦାବି କରିଥିଲେ।

ଘରୋଇ ହସ୍ପିଟାଲ ପାଇଁ ଟିକା ଦାମ ଭ୍ୟାକସିନ ନିର୍ମାତା ଦ୍ୱାରା ଧାର୍ଯ୍ୟ କରାଯିବ । ପରେ ହେବାକୁଥିବା ଯେକୌଣସି ପରିବର୍ତ୍ତନ ସମ୍ପର୍କରେ ଆଗୁଆ ସୂଚାଇ ଦିଆଯିବ । ଘରୋଇ ହସ୍ପିଟାଲ ସେବା ଶୁଳ୍କ ଭାବେ ଡୋଜ ପିଛା ସର୍ବାଧିକ ୧୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିପାରିବେ। ଏନେଇ ରାଜ୍ୟ ସରକାର ତଦାରଖ କରିପାରିବେ।

ଟିକା ଉତ୍ପାଦନକାରୀଙ୍କ ଦ୍ୱାରା ଉତ୍ପାଦନ ଏବଂ ନୂତନ ଟିକାକୁ ଉତ୍ସାହିତ କରିବା ପାଇଁ ଘରୋଇ ଟିକା ଉତ୍ପାଦନକାରୀଙ୍କୁ ଘରୋଇ ଡାକ୍ତରଖାନାକୁ ମଧ୍ୟ ଟିକା ପ୍ରଦାନ କରିବାର ବିକଳ୍ପ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.