କେନ୍ଦ୍ର କର୍ମଚାରୀଙ୍କ ବାକି ପଡ଼ିଥିବା ମହଙ୍ଗା ଭତ୍ତାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ମିଳିବ ନାହିଁ ଏରିଅର୍‌

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ, ୧୬/୦୭: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ ମହଙ୍ଗା ଭତ୍ତାକୁ ବଢ଼ାଇବାପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ହୋଇଥିଲା । ୧୮ ମାସ ହେଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ରିହାତି (ଡିଏ ଓ ଡିଆର) ଉପରେ ଲାଗୁ ରୋକ ହଟାଇବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ୪୮ ଲକ୍ଷରୁ ଅଧିକ କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କ ଡିଏ ଓ ଡିଆର ବୃଦ୍ଧିରେ ଥିବା ପ୍ରତିବନ୍ଧକ ହଟିବାକୁ ନେଇ ଖୁସି ହୋଇଥିଲେ । କର୍ମଚାରୀଙ୍କ ଭତ୍ତା ଓ ରିହାତି ହାର ୧୭ ପ୍ରତିଶତରୁ ବଢାଇ ୨୮ ପ୍ରତିଶତ କରାଯାଇଥିବା ଘୋଷଣା ହୋଇଥିଲା । ଏଥିପାଇଁ ସରକାରଙ୍କୁ ଅତିରିକ୍ତ ୩୪,୪୦୧ କୋଟି ଟଙ୍କାର ବୋଝ ଉଠାଇବାକୁ ପଡ଼ିବ ।

କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଡିଏ ଏବଂ ଡିଆରର ତିନୋଟି ଅତିରିକ୍ତ କିସ୍ତିକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିଦେଇଥିଲେ । ଏପରି ଘୋଷଣା ପରେ କର୍ମଚାରୀଙ୍କୁ ଏହି ବାକି ରାଶି ମିଳିବା ନେଇ ସେମାନେ ଆଶା ରଖିଥିଲେ ଏବଂ ଆଶଙ୍କାରେ ମଧ୍ୟ ଥିଲେ । ତେବେ ଏହି ଆଶଙ୍କା ଏବେ ଦୂର ହୋଇଛି । ସରକାର ସଫା ସଫା ବାକି ଟଙ୍କା ଦେବାକୁ ମନା କରିଦେଇଛନ୍ତି । ସରକାର କହିଛନ୍ତି ଯେ, ୧ ଜାନୁଆରୀ ୨୦୨୦ ଠାରୁ ୩୦ ଜୁନ୍ ୨୦୨୧ ଅବଧି ପର୍ଯ୍ୟନ୍ତ ଦିଆଯାଇନଥିବା ଡିଏ ଆଉ ଦିଆଯିବ ନାହିଁ ।

ଭାରତ ସରକାରଙ୍କ ମୁଖ୍ୟ ପ୍ରବକ୍ତା ଜୟଦୀପ ଭଟ୍ଟନାଗର ଏନେଇ କହିଛନ୍ତି ଯେ, ପୂର୍ବ ବାକି ଡିଏ କର୍ମଚାରୀଙ୍କୁ ଦିଆଯିବ ନାହିଁ ବୋଲି କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି । ଚଳିତ ଜୁଲାଇରୁ ୧୧ ପ୍ରତିଶତ ବୃଦ୍ଧି ହୋଇ ନୂଆ ରେଟ୍‌ ଲାଗୁ କରାଯିବ ।

ତେବେ ୧ କୋଟିରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ପେନସନଭୋଗୀ ଦୀର୍ଘ୧୮ ମାସ ହେଲା ମହଙ୍ଗା ଭତ୍ତା ଓ ରିହାତି ଲାଗି କେନ୍ଦ୍ର ସରକାରଙ୍କ ଘୋଷଣାକୁ ଅପେକ୍ଷା କରି ରହିଥିଲେ। କରୋନା ଯୋଗୁ ଗତ ଜାନୁୟାରୀ ୨୦୨୦ରେ କର୍ମଚାରୀଙ୍କ  ମହଙ୍ଗା ଭତ୍ତା ଓ ରିହାତି ୧୭ ପ୍ରତିଶତରେ ବନ୍ଦ ରହିଥିଲା। ଫଳରେ କର୍ମଚାରୀଙ୍କ ଡିଏ ଜାନୁୟାରୀ ୨୦୨୦ରୁ ନଭେମ୍ବର ୨୦୨୦ ସୁଦ୍ଧା ୨୪ ପ୍ରତିଶତକୁ ପହଞ୍ଚିଥିଲା, ଯାହା ମେ ୨୦୨୧ ବେଳକୁ ୨୮ ପ୍ରତିଶତ ଓ ଜୁନ ୨୦୨୧ରୁ ଜୁଲାଇ ୨୦୨୧ରେ ବଢି ୩୧ ପ୍ରତିଶତକୁ ପହଞ୍ଚିଛି। ଏ ବାବଦେ କର୍ମଚାରୀଙ୍କ ସଙ୍ଗଠନ ସରକାରଙ୍କୁ ଠିକ୍‌ ଭାବେ ବୁଝାଇ ଥିଲେବି ସରକାରଙ୍କ ନିଷ୍ପତ୍ତି କର୍ମଚାରୀଙ୍କ ଅନୁରୂପ ହୋଇପାରିନି। ଅନ୍ୟପଟେ ବାକି ଡିଏ ନମଳିବା ନେଇ ଅସନ୍ତୋଷ ମଧ୍ୟ ଦେଖାଦେଇଛି ।

କରୋନା ସମୟରେ ସେନା, ରେଳବାଇ, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, କୃଷି ଓ ଅନ୍ୟ ମନ୍ତ୍ରାଳୟମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ସରକାରଙ୍କୁ  ନିସ୍ୱାର୍ଥପର ସହଯୋଗ କରିଥିବା କର୍ମଚାରୀ ସଙ୍ଗଠନମାନେ ବୁଝାଇଥିଲେ। ଏହି ୧୮ମାସର ଭତ୍ତା ବନ୍ଦ କାଳରେ ଅନେକ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି ଏହା ଛଡା ଅନେକ କର୍ମଚାରୀ ଓ ପେନସନରଙ୍କ ପରଲୋକ ମଧ୍ୟ ହୋଇଛି। ଏଥିରେ ସରକାରଙ୍କ ଡିଏ ଓ ଡିଆର ବନ୍ଦ ନିଷ୍ପତ୍ତି ସେମାନଙ୍କୁ ଗୁରୁତର ଆର୍ଥିକ କ୍ଷତିରେ ପକାଇଥିବାର ମଧ୍ୟ ସୂଚିତ କରାଯାଇଥିଲା। ହେଲେ ସରକାର କର୍ମଚାରୀଙ୍କୁ ୧୪ ପ୍ରତିଶତ ବଦଳେ ମାତ୍ର ୧୧ ପ୍ରତିଶତ ବୃଦ୍ଧି ଦେଇଥିବା ଜିସିଏମ ସଚିବ ଶିବଗୋପାଲ ମିଶ୍ର କହିଥିଲେ।

ସେ କହିଥିଲେ ଯେ କର୍ମଚାରୀଙ୍କୁ ସେମାନଙ୍କର ଡିଏ ଓ ଡିଆର ସହ ଏରିୟର ମଧ୍ୟ ଏକ ସଙ୍ଗରେ ଦିଆଯାଉ ବୋଲି ସରକାରଙ୍କୁ ନିବେଦନ କରାଯାଇଥିଲା। ଯଦି ଏରିୟର ଓ ଅନ୍ୟ ଭତ୍ତା ଏକ ସାଙ୍ଗରେ ଜାରି ନ ହୋଇପାରୁଛି ତେବେ କ୍ଷୁଦ୍ର ଅବଧି ଅନ୍ତରାଳ  ପ୍ରଦାନ ଲାଗି ମଧ୍ୟ ପରାମର୍ଶ ଦିଆଯାଇଥିଲା।  କ୍ୟାବିନେଟ ସଚିବଙ୍କୁ କର୍ମଚାରୀଙ୍କ ୧୮ ମାସର ଭତ୍ତା ଓ ଏରିୟର ବାବଦେରେ ସମ୍ପୂର୍ଣ୍ଣ ଅବଗତ କରାଯାଇଥିଲେ ହେଁ ଘୋଷଣାରେ କେନ୍ଦ୍ରମନ୍ତ୍ରୀ ଏରିୟର ପ୍ରସଙ୍ଗରେ ପୂର୍ବ ଘୋଷଣାରେ ଚୁପ ରହିବା କର୍ମଚାରୀଙ୍କୁ ନିରାଶ କରିଥିଲା। ହେଲେ ଆଜି ସରକାର ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.