କରୋନା: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଘରେ ରହି କାମ କରିବେ ୫୦ ପ୍ରତିଶତ କର୍ମଚାରୀ
19/03/2020 at 2:57 PM

ନୂଆଦିଲ୍ଲୀ ୧୯।୦୩: କରୋନ ଭୂତାଣୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରବାର ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ବି ଓ ସି ଶ୍ରେଣୀର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି ଅଫିସ କାମ କରିବାକୁ ଆଦେଶ ଦେଇଛନ୍ତି। ବାକି ୫୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କର୍ମଚାରୀଙ୍କ କାମ କରିବାର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ। ଏହି ଆଦେଶ କେନ୍ଦ୍ରୀୟ କାର୍ମିକ, ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି।
ଆଦେଶ ଅନୁଯାୟୀ ସମସ୍ତ କର୍ମଚାରୀ ନିଜର ପାଳି ଅନୁସାରେ ଘରୁ ଏବଂ ଦପ୍ତରରେ କାମ କରିବେ। କର୍ମଚାରୀଙ୍କ ଲାଗି ଏହି ଆଦେଶ ଏପ୍ରିଲ ୪ ପର୍ଯ୍ୟନ୍ତ ଲାଗୁ ହେବ। ଅନ୍ୟପଟେ ଯେଉଁ କର୍ମଚାରୀ କରୋନା ଭୂତାଣୁ ସମ୍ବନ୍ଧିତ କାର୍ଯ୍ୟରେ ଲାଗି ଥିବେ ତେବେ ସେମାନଙ୍କ ଉପରେ ଏହି ରୋଷ୍ଟର ଲାଗୁ ହେବ ନାହିଁ। ସେମାନେ ନିଜର କାର୍ଯ୍ୟ ଜାରି ରଖି ପାରିବେ।
କରୋନାର ପ୍ରକୋପ ମଧ୍ୟରେ ଭାରତ ପାଇଁ ଆସିଛି ଆଶ୍ଵସ୍ତିଭରା ଖବର। ସାଧାରଣ ଲୋକଙ୍କ ଅଚାନକ ନିଆଯାଇଥିବା ୮୨୬ ନମୂନା ନେଗେଟିଭ୍ ଆସିଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)କହିଛି ଯେ, ଅଚାନକ ନିଆଯାଇଥିବା ୮୨୬ ନମୂନାର ପରୀକ୍ଷଣ କରାଯାଇଛି, ସେଥିରୁ ଗୋଟିଏ ହେଲେ ନମୂନା ପୋଜିଟିଭ ମିଳିନାହିଁ। ସମସ୍ତ ନମୂନା ନେଗେଟିଭ୍ ଆସିଛି ଯାହା ଭାରତ ପାଇଁ ବହୁତ ବଡ ଆଶ୍ଵସ୍ତିକର ବିଷୟ।
ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଦ୍ୟାବଧି ୧୬୮ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏଥିରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସମଗ୍ର ଦୁନିଆରେ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ସୌଭାଗ୍ୟବଶତଃ ଭାରତ ସମୟ ପୂର୍ବରୁ ଉଚିତ୍ ପଦକ୍ଷେପ ନେଇଥିବାରୁ ଏଠାରେ କରୋନା ଦ୍ଵିତୀୟ ପର୍ଯ୍ୟାୟରେ ରହିଛି, ନଚେତ୍ ଭାରତର ଅବସ୍ଥା ଇଟାଲୀ ପରି ହୋଇଥାନ୍ତା। ଉଲ୍ଲେଖନୀୟ ଏବେ ଚୀନରେ କରୋନା ଭୂତାଣୁର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଏଠାରୁ ବହୁତ କମ ମାମଲା ସାମ୍ନାକୁ ଆସୁଛି। ଅନ୍ୟପଟେ ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୩୫ ହଜାର ଅତିକ୍ରମ କରିଛି। ପ୍ରାୟ ତିନି ହଜାର ଲୋକ ପ୍ରାଣ ହରାଇ ସାରିଲେଣି।