୭ମ ବେତନ କମିସନ: ୧ ଏପ୍ରିଲ୍‌ରୁ ୨୫ ପ୍ରତିଶତକୁ ବଢ଼ିପାରେ ମହଙ୍ଗା ଭତ୍ତା, ଜାଣନ୍ତୁ କ'ଣ ରହିଛି ସୂଚନା

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ, ୦୮/୦୩: ଦେଶରେ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଅପେକ୍ଷାରେ ରହିଛନ୍ତି । ଏଥି ମଧ୍ୟରେ ସେମାନଙ୍କ ପାଇଁ ଏକ ତାଜା ଖବର ସାମ୍ନାକୁ ଆସିଛି । ପାଖାପାଖି ୫୨ ଲକ୍ଷ କର୍ମଚାରୀ ହୋଲି ପୂର୍ବରୁ ଏନେଇ ଖୁସି ଖବର ପାଇପାରନ୍ତି । ଏହା ସହିତ ସେବାରୁ ନିବୃତ ୬୦ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଏହାର ଫାଇଦା ମିଳିବ ବୋଲି ଆଶା କରାଯାଉଛି ।

ହୋଲି ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିପାରେ । ଖୁବ୍‌ଶୀଘ୍ର ଏନେଇ କେନ୍ଦ୍ର ସରକାର ଅଫିସିଆଲ୍‌ ନୋଟିଫିକେଶନ୍‌ ଜାରି କରିପାରନ୍ତି । ମହଙ୍ଗା ଭତ୍ତା ଜାନୁଆରୀ ମାସରୁ ବକେୟା ରହିଛି । ପେନ୍‌ଶନ୍‌ ପାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହାର ଲାଭ ମିଳିବ ବୋଲି କୁହାଯାଉଛି ।

ଏକ ସୂତ୍ରରୁ ଜଣା ପଡ଼ିଛି ଯେ, କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୮ ପ୍ରତିଶତ ବଢ଼ାଇ ପାରନ୍ତି । ଏଥି ସହିତ ଏପ୍ରିଲ୍‌ ୨୦୨୧ରୁ ଏହା ମୂଳ ଦରମାର ୨୫ ପ୍ରତିଶତ (୧୭+୪+୪ )ହେବାର ସମ୍ଭାବନା ରହିଛି । ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ସରକାର ମହଙ୍ଗା ଭତ୍ତାରେ ସୁଧାର ଆଣିବାକୁ ଯାଉଛନ୍ତି । ପୂର୍ବରୁ କେନ୍ଦ୍ର ପୂରୁଣା ଦରକୁ ଲାଗୁ କରିଥିଲା । ଅର୍ଥାତ୍‌ ୧୭ ପ୍ରତିଶତ ଲାଗୁ କରାଯାଇଥିଲା । ହେଲେ ବର୍ତ୍ତମାନ ଏହା ୨୧ ପ୍ରତିଶତ ରହିଛି ।

ଫ୍ୟାମିଲି ପେନ୍‌ସନ୍‌ ପାଇଁ ଥିବା ରାଶି ସୀମା ୪୫,୦୦୦ ଟଙ୍କାକୁ ମଧ୍ୟ ସରକାର ବଢ଼ାଇ ୧.୨୫ ଲକ୍ଷ କରିଦେଇଛନ୍ତି । ପେନ୍‌ସନ୍‌ ଏବଂ ପେନ୍‌ସନ୍‌ ଭୋଗୀ କଲ୍ୟାଣ ବିଭାଗ ମୃତ ସରକାରୀ କର୍ମଚାରୀଙ୍କ ପୁଅ-ଝିଅ ବା ଭାଇ-ଭଉଣୀଙ୍କୁ ପେନ୍‌ସନ୍‌ ନେଇ ନୂଆ ନିର୍ଦ୍ଦେଶ ମଧ୍ୟ ଜାରି କରିଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.