କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ପାର୍ବଣ ପୂର୍ବରୁ ବଢିବ ଦରମା, ପେନସନଭୋଗୀ ମଧ୍ୟ ହେବେ ଉପକୃତ !

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩।୭: ଲକ୍ଷାଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର । ଚଳିତବର୍ଷ ସେମାନଙ୍କ ପାଇଁ ଦଶହରା ଏବଂ ଦିପାବଳୀ ଧମାକାଦାର ହେବାକୁ ଯାଉଛି । ସେମାନଙ୍କ ଆକାଉଣ୍ଟକୁ ଡିଏ ଏବଂ ଡିଆର ଆସିବାର ଅଛି । ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ୧ ତାରିଖରୁ ଡିଏ ଏବଂ ଡିଆର ବୃଦ୍ଧି ଲାଗୁ କରାଯିବ ଏବଂ ଏହା ଦଶହରା (୧୫ ଅକ୍ଟୋବର) ପୂର୍ବରୁ ଦିଆଯିବ। ଆକଳନ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ପ୍ରାୟ ୧.୨ କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଘ୍ର ବୃଦ୍ଧି ହୋଇଥିବା ଡିଏକୁ ଅନୁମୋଦନ କରିପାରନ୍ତି ।

ସପ୍ତମ ବେତନ କମିଶନ ଅନୁଯାୟୀ ବର୍ତ୍ତମାନ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । ଶେଷ ତିନୋଟି କିସ୍ତିର ଯେତେବେଳେ ଡିଏ ବୃଦ୍ଧି ହେବ ସେତେବେଳେ ଏହା ୨୮ ପ୍ରତିଶତକୁ ବୃଦ୍ଧି ପାଇବ । ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୨୦୨୦ରେ ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ପରେ ଜୁଲାଇ ୨୦୨୦ରେ ୩ ପ୍ରତିଶତ ଏବଂ ଜାନୁଆରୀ ୨୦୨୧ରେ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଯଦି ଜୁଲାଇ ୨୦୨୧ରେ ଏହା ୩ ପ୍ରତିଶତ ବୃଦ୍ଧି ହୁଏ, ତେବେ ସେପ୍ଟେମ୍ବରରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୩୧ ପ୍ରତିଶତ ହୋଇଯିବ ।

ପ୍ରତିବର୍ଷ ଜାନୁଆରୀ ଏବଂ ଜୁଲାଇରେ ଦୁଇ ଥର ଡିଏ ସଂଶୋଧିତ ହୁଏ । କିନ୍ତୁ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଗତ ବର୍ଷ ଡିଏ ବୃଦ୍ଧି କରିନଥିଲେ। ଏହା ପ୍ରାୟ ଦେଢେ ବର୍ଷ ପାଇଁ ବନ୍ଦ କରାଯାଇଥିଲା । ଯାହା ଗତ ମାସରେ ଶେଷ ହୋଇଥିଲା । ଏଭଳି ପରିସ୍ଥିତିରେ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନେବା ସମ୍ଭବ। ଏହାପୂର୍ବରୁ ପେନ୍‌ସନ୍‌ଭୋଗୀଙ୍କ ଡିଏ ଏବଂ ଡିଆର ସମ୍ପର୍କରେ ଜୁଲାଇ ୬ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକ ବାତିଲ କରାଯାଇଥିଲା ।

ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କର୍ମଚାରୀଙ୍କ ମାସିକ ଦରମା ୩୦୦୦ ରୁ ୩୦,୦୦୦ ଟଙ୍କାକୁ ବୃଦ୍ଧି ପାଇବ। ଡିଏ ବୃଦ୍ଧି ପରେ ମାସିକ ଦରମା କେତେ ବୃଦ୍ଧି ପାଇବ ତାହା କର୍ମଚାରୀଙ୍କ ପେ ସ୍କେଲ ଉପରେ ନିର୍ଭର କରିବ । ଏକ ରିପୋର୍ଟ ଅନୁଯାୟୀ, ୨୦୨୨ ଆର୍ଥିକ ବର୍ଷରେ ଡିଏ ଏବଂ ଡିଆର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ୩୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । କେବଳ ଏତିକି ନୁହେଁ, ପ୍ରାୟ ୬୦,୦୦୦ କୋଟି ଟଙ୍କା ରାଜ୍ୟ ପାଇଁ ମଧ୍ୟ ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.