ରାଜ୍ୟକୁ ଜିଏସଟି କ୍ଷତିପୂରଣର ପୂରା ଅର୍ଥ ପ୍ରଦାନ କରିବ କେନ୍ଦ୍ର ସରକାର, ଶୀଘ୍ର ଜାରି ହେବ ୯୭ ହଜାର କୋଟି ଟଙ୍କା

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭।୦୯: ବସ୍ତୁ ଏବଂ ସେବା କର(ଜିଏସଟି) ସଂଗ୍ରହରେ ହ୍ରାସ ପରେ ରାଜ୍ୟଗୁଡିକୁ ଜିଏସଟି କ୍ଷତିପୂରଣର ସମସ୍ତ ଅର୍ଥ ପ୍ରଦାନ କରାଯିବ। କେନ୍ଦ୍ର ସରକାର ସୋମବାର ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସରକାର କହିଛନ୍ତି ମୋଟ୍ ବକେୟା ଅର୍ଥ ମଧ୍ୟରୁ ୯୭,୦୦୦ କୋଟି ଟଙ୍କା ତତ୍କାଳ ଜାରି କରାଯିବ। ଏହା ବ୍ୟତୀତ ଆଗାମୀ ସମୟରେ ଅତିରିକ୍ତ ଅର୍ଥ ପ୍ରଦାନ କରାଯିବ। ଏହି ବିଷୟରେ  ଜିଏସଟି ପରିଷଦ ବୈଠକରେ ଅନ୍ତିମ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ସରକାରଙ୍କ ତରଫରୁ ଏହି ସ୍ପଷ୍ଟୀକରଣ ଏମିତି ସମୟରେ ଆସିଛି ଯେତେବେଳେ ଜିଏସଟି ପରିଷଦର ଗତ ବୈଠକ ପରେ କିଛି ରାଜ୍ୟ ଜିଏସଟି କ୍ଷତିପୂରଣକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଜୈନକ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଜିଏସଟି କ୍ଷତିପୂରଣର ପୂରା ଅର୍ଥ ରାଜ୍ୟକୁ ଦିଆଯିବ। ନିକଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ପର୍ଯ୍ୟନ୍ତ ଜିଏସଟି ଆକ୍ଟ ୨୦୧୭ ଆଧାରରେ ରାଜ୍ୟଗୁଡିକୁ ଭରଣା ଦେବାର ନିୟମ ରହିଛି, ସେ ପର୍ଯ୍ୟନ୍ତ ଆମକୁ ଏହାର ପାଳନ କରିବାକୁ ପଡିବ।

ଅଧିକାରୀ କହିଛନ୍ତି କେନ୍ଦ୍ର ସରକାର ଗତ ସପ୍ତାହରେ ରାଜ୍ୟ ସଚିବଙ୍କ ସହିତ ବୈଠକ କରିଛନ୍ତି। କେନ୍ଦ୍ର ରାଜ୍ୟ ସରକାରଙ୍କୁ ପେଆଉଟ୍‌ ଫଣ୍ଡ କରିବା ପାଇଁ ଉଧାରି ନେବାର ବିକଳ୍ପ ଦେଇଥିଲା। ଯଦି କେନ୍ଦ୍ର ସରକାର ଉଧାର ନେବେ ତେବେ ଏଥିରେ ଋଣ ବୋଝଭାର ଅଧିକ ବଢିଯିବ, ଯାହାର ପ୍ରଭାବ କେନ୍ଦ୍ର ଓ ରାଜ୍ୟ ଉଭୟଙ୍କ ଉପରେ ପଡିବ।

ଉଲ୍ଲେଖନୀୟ ୨୦୧୯ ଅଗଷ୍ଟ ପରଠୁ  ଜିଏସଟି ସଂଗ୍ରହ ହ୍ରାସ ହେବା ପରଠୁ ଜିଏସଟି କ୍ଷତିପୂର୍ତ୍ତି ଏକ ପ୍ରସଙ୍ଗ ହୋଇ ରହିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟଗୁଡିକର କ୍ଷତିପୂରଣ ଭାବେ ତିନି ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ପଡିବାର ଅନୁମାନ କରାଯାଇଛି। ଏଥିରୁ ୬୫ ହଜାର କୋଟି ଟଙ୍କା ରାଜସ୍ଵରୁ ଆଦାୟ କରାଯାଇ ପାରିବ। ଏହା ପରେ ମଧ୍ୟ ୨.୩୫ ଲକ୍ଷ କୋଟି ଟଙ୍କା କମ୍ ପଡିବ ବୋଲି ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.