ସଚିବରୁ ଦିଦିଙ୍କ ପରାମର୍ଶଦାତା ହୋଇଥିବା ଅଲପନଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍, ଉତ୍ତର ନଦେଲେ ଏଫଆଇଆର

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୦୧।୦୬: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି(ବିଜେପି)ଓ ଓ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ରାଜନୈତିକ ଲଢେଇ ଥମିବାର ନାଁ ନେଉନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ବିଳମ୍ବରେ ପହଞ୍ଚିଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶଦାତା ହୋଇଥିବା ଅଲପନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଏହି ମାମଲା ସହ ଜଡିତ ଜନୈକ ଅଧିକାରୀ କହିଛନ୍ତି, କେନ୍ଦ୍ର ସରକାର ଅଲପନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟ ନିକଟରେ ଅବସର ନେଇଥିବା ଆଇଏଏସ ଅଧିକାରୀ ଅଲପନ ବନ୍ଦୋପାଧ୍ୟାୟଙ୍କୁ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ଆଧାରରେ ନୋଟିସ୍ ଜାରି କରିଛନ୍ତି। ନୋଟିସ୍‌ର ତିନି ଦିନ ଭିତରେ ଜବାବ ନଦେଲେ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇପାରେ।

ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ଆଦେଶର ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗ ବିଚାର କରୁଛି। ମୁଖ୍ୟ ସଚିବ ପଦରୁ ଅବସର ନେବା ପରେ ମମତା ବାନାର୍ଜୀ ବନ୍ଦୋପାଧ୍ୟାୟଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି।

ରାଜ୍ୟପାଳ କହିଲେ- ଲୋକ ସେବା ଉପରେ ଅହଙ୍କାର ଭାରି

ଅନ୍ୟପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଖନଖଡ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ସାମିଲ ନହେବା ଉପରେ କହିଛନ୍ତି ଯେ, ଲୋକ ସେବା ଉପରେ ଅହଙ୍କାର ଆଜି ଭାରି ପଡିଛି। ରାଜ୍ୟପାଳଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତି ତେଜି ଉଠିଛି। ଟିଏମସି ରାଜ୍ୟପାଳଙ୍କ ବୟାନକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ କହିଛି ଯେ, ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ଜନସେବାରେ ଲାଗି ରହିଛନ୍ତି।

ଏହା ପୂର୍ବରୁ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏପରି ବଦଳି ଆଦେଶ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଏହା ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଅପମାନ। ରାଜ୍ୟର ବିନା ପରାମର୍ଶରେ ଏମିତି ଆଦେଶ ଜାରି କରାଯାଇଛି।  ବର୍ତ୍ତମାନ କୋଭିଡ୍ ମହାମାରୀ ସମୟରେ ବନ୍ଦୋପାଧ୍ୟାୟଙ୍କୁ ରାଜ୍ୟ ସେବାରୁ ନିବୃତ୍ତ ନକରିବାକୁ ମମତା ନିଜ ଚିଠିରେ ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.