ଦେଶରେ ରହିଯିବ କେବଳ ୫ ସରକାରୀ ବ୍ୟାଙ୍କ ! ଏହି ବ୍ୟାଙ୍କରୁ ନିଜର ଅଂଶଧନ ବିକିବେ ସରକାର
20/07/2020 at 9:59 PM

ନୂଆଦିଲ୍ଲୀ ୨୦।୦୭: କେନ୍ଦ୍ର ସରକାର ଦେଶର ସରକାରୀ ବ୍ୟାଙ୍କ(PSU Banks)ରେ ଅଧାରୁ ଅଧିକ ଘରୋଇକରଣ କରିବାକୁ ଯୋଜନା କରିଛନ୍ତି। ଯଦି ସବୁ କିଛି ଯୋଜନା ଅନୁଯାୟୀ ହୁଏ ତେବେ ଆଗାମୀ ସମୟରେ ଦେଶରେ କେବଳ ୫ ସରକାରୀ ବ୍ୟାଙ୍କ ରହିଯିବ। ସରକାର ଓ ବ୍ୟାଙ୍କିଙ୍ଗ ସେକ୍ଟର ସୂତ୍ର ଅନୁଯାୟୀ, ବ୍ୟାଙ୍କିଂ ଇଣ୍ଡଷ୍ଟ୍ରୀର ଅବସ୍ଥା ସୁଧାରିବା ପାଇଁ ସରକାର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଯୋଜନାର ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ଅଫ ଇଣ୍ଡିଆ(BOI), ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ(CBI), ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ(IOB), ୟୁକୋ ବ୍ୟାଙ୍କ(UCO Bank), ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରୁ ନିଜର ପ୍ରମୁଖ ଅଂଶଧନ ବିକ୍ରି କରିବେ।
ଘରୋଇକରଣ ପ୍ରସ୍ତାବ ପ୍ରସ୍ତୁତ କରି କ୍ୟାବିନେଟ୍କୁ ପ୍ରଦାନ କରିବେ
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ସରକାର ଚାହୁଁଛନ୍ତି ଦେଶରେ କେବଳ ୪ କିମ୍ବା ୫ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ରହୁ। ବର୍ତ୍ତମାନ ଦେଶରେ ୧୨ ସରକାରୀ ବ୍ୟାଙ୍କ ରହିଛି। ଉଲ୍ଲେଖନୀୟ ଚଳିତ ବର୍ଷ ସରକାର ୧୦ ସରକାରୀ ବ୍ୟାଙ୍କର ବିଲୟ କରି ୪ ରାଷ୍ଟ୍ରୀୟ ବ୍ୟାଙ୍କରେ ପରିଣତ କରିଥିଲେ। ଏହା ପରେ ୨୦୨୦ ଏପ୍ରିଲ ୧ରୁ ଦେଶରେ ସରକାରୀ ବ୍ୟାଙ୍କର ମୋଟ୍ ସଂଖ୍ୟା ୧୨ ରହିଛି, ଯାହା ୨୦୧୭ରେ ୨୭ ଥିଲା। ଅଧିକାରୀ କହିଛନ୍ତି ଯୋଜନା ପ୍ରସ୍ତୁତ କରାଯାଇ ମଞ୍ଜୁରୀ ପାଇଁ କ୍ୟାବିନେଟ୍ରେ ଉପସ୍ଥାପନ କରାଯିବ।
କରୋନା ଭାଇରସ୍ କାରଣରୁ ଦେଶର ଆର୍ଥିକ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ନଗଦ ସମସ୍ୟା ଦେଇ ଗତି କରୁଥିବା ସରକାର ନନ କୋର କମ୍ପାନୀ ଓ ସେକ୍ଟର୍ସର ସଂପତ୍ତି ବିକ୍ରି କରି ପୁଞ୍ଜି ସଂଗ୍ରହରେ ସାହାଯ୍ୟ ପାଇଁ ବ୍ୟାଙ୍କର ଘରୋଇକରଣ ଯୋଜନା ଉପରେ କାମ କରୁଛନ୍ତି। କିଛି ସରକାରୀ କମିଟି ଓ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ, ଦେଶରେ ପାଞ୍ଚରୁ ଅଧିକ ସରକାରୀ ବ୍ୟାଙ୍କ ରହିବା ଉଚିତ୍ ନୁହେଁ। ଏକ ସରକାରୀ ବ୍ୟାଙ୍କର ବରିଷ୍ଠ ଅଧିକାରୀ କହିଛନ୍ତି, ସରକାର ପୂର୍ବରୁ କହି ସାରିଛନ୍ତି ଏବେ ସରକାରୀ ବ୍ୟାଙ୍କର ମିଶ୍ରଣ କରାଯିବ ନାହିଁ। ଏମିତିରେ ସରକାରଙ୍କ ପାଖରେ ନିଜର ଅଂଶଧନ ବିକ୍ରି କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ।