କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ହେଲା DA

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪/୦୭ : କରୋନା ମହାମାରୀ ସମୟରେ ଦରଦାମ ବୃଦ୍ଧି ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ମିଳିଛି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବଢାଇ ଦିଆଯାଇଛି । କହିବାକୁ ଗଲେ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ଟି କିସ୍ତିରେ ଆସିବାର ଥିଲା କିନ୍ତୁ କରୋନା ମହାମାରୀ କାରଣରୁ DA ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର । ବର୍ତ୍ତମାନ DA ବୃଦ୍ଧି ପରେ ଆସନ୍ତା ସେପ୍ଟେମ୍ବର ମାସରୁ ଅଧିକ ବେତନ ଆସିବ ବୋଲି ଅନୁମାନ କରାଯାଉଛି । ମହାମାରୀ କରୋନା ପାଇଁ ୨୦୨୦ ମସିହା ଜାନୁଆରୀ ୧ ତାରିଖରୁ ମହଙ୍ଗା ଭତ୍ତା ବା​‌ DA ଉପରେ ରୋକ ଲଗାଇଥିଲେ କେନ୍ଦ୍ର ସରକାର । ୨୦୨୧ ଜୁଲାଇ ୧ ତାରିଖ ଯାଏଁ ଏହା ଉପରେ କେନ୍ଦ୍ର ସରକାର ରୋକ ଲଗାଇଥିଲେ । ତେବେ କେନ୍ଦ୍ର କ୍ୟାବିନେଟ ବୈଠକ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ଠାରୁ କେନ୍ଦ୍ର କର୍ମଚାରୀମାନଙ୍କୁ ଏହି ଲାଭ ପୁଣି ଥରେ ମିଳିପାରେ ।

କରୋନା ମହାମାରୀ ସମୟରେ ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଛି । ଏହାରି ମଧ୍ୟରେ ଦରଦାମ ବୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଉଛି । ଦେଶରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିପାଇବାରେ ଲାଗିଛି । ଖାଇବା ତେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ଆକାଶ ଛୁଆଁ ହେଲାଣି । ତେଣୁ ଏହାରି ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ବୃଦ୍ଧି ସରକାରଙ୍କ ଉପରେ ଚାପ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.