ରାକେଶ ଝୁନ୍‌ଝୁନଓ୍ବାଲାଙ୍କ ‘Akasa Air’କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଉଡ଼ାଣ ?

Published By : Prameya-News7 Bureau | October 11, 2021 IST

ନୂଆଦିଲ୍ଲୀ ୧୧/୧୦: ଶେୟାର ବଜାରରେ ବଡ଼ ନିବେଶକଙ୍କ ମଧ୍ୟରେ ଜଣେ ଏବଂ ବିଗ ବୁଲ୍‌ ନାଁରେ ପରିଚିତ ରାକେଶ ଝୁନଝୁନଓ୍ବାଲାଙ୍କ ଆକାଶ ଏୟାର ଲାଇନ୍ସଙ୍କୁ କେନ୍ଦ୍ର ସରକାରଙ୍କ ଗ୍ରୀନ ସିଗନାଲ୍‌।  ଆକାଶ ଏୟାର ଲାଇନ୍ସକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏନଓସି(ନୋ ଅବଜେକ୍ସନ୍‌ ସାର୍ଟିଫିକେଟ୍‌) ଦେଇଛି। କେନ୍ଦ୍ର ସରକାରଙ୍କ ସମସ୍ତ ନିୟମ ମାନି ଆକାଶ ଏୟାର ଯାତ୍ରା ଆରମ୍ଭ କରିବ ବୋଲି ଜଣାପଡ଼ିଛି। 

ଏସଏନଭି ଆଭିଏସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବ୍ରାଣ୍ଡ ନେମ୍‌ ଆକାଶ ଏୟାର ନାଁରେ ଉଡ଼ାଣ ଭରିବ। ଜେଟ୍‌ ଏୟାରଓ୍ବେଜ୍‌ର ପୂର୍ବତନ ସିଇଓ ବିନୟ ଦୁବେ ଏବେ ଏହାର ସିଇଓ ହୋଇଛନ୍ତି । ଆକାଶ ଏୟାର ଭାରତୀୟ କମ୍ପାନୀ ହୋଇଥିବା ବେଳେ ଏଥିରେ ରାକେଶ ଝୁନଝୁନଓ୍ବାଲା ନିବେଶ କରିଛନ୍ତି। ସେପଟେ  ସିଇଓ ବିନୟ ଦୁବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏନଓସି ପାଇଁ ଧନ୍ୟବାଦ ଜଣାଇଥିବା ବେଳେ ଆଗାମୀ ନିୟମ ପାଳନ ପାଇଁ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି।

୨୦୨୨ ଗ୍ରୀଷ୍ମ ଋତୁ ସୁଦ୍ଧା ଆକାଶ ଏୟାର କାର୍ଯ୍ୟକାରୀ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।  ଆକାଶ ଏୟାର ଏବଂ ଅନ୍ୟ ୩ଟି ଏୟାର ଲାଇନ୍ସ ଯାତ୍ରୀ ଏବଂ ଏୟାର କାର୍ଗୋ ସର୍ଭିସ୍ ଆରମ୍ଭ କରିବାକୁ ଏନଓସି ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଅଗଷ୍ଟ ୨୦୨୧ରେ ଆବେଦନ କରିଥିଲେ।

ଅନ୍ୟପଟେ ବିମାନ କ୍ରୟ କରିବାକୁ ଆକାଶ ଏୟାର ବୋଇଂ ଏବଂ ଏୟାରବସ୍‌ ସହ ଆଲୋଚନା କରୁଛି। ନୂଆ ଏୟାର ଲାଇନ୍ସରେ ଝୁନଝନଓ୍ବାଲାଙ୍କ ୪୦ ପ୍ରତିଶତ ଅଂଶଧନ ରହିବ ବୋଲି କୁହାଯାଉଛି। ସେ ଏଥିରେ ୩.୫ କୋଟି ଡଲାର ନିବେଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ସହ ଇଣ୍ଡିଗୋର ପୂର୍ବତନ ଅଧ୍ୟକ୍ଷ ଆଦିତ୍ୟ ଘୋଷ ଆକାଶ ଏୟାରର ସହ ପ୍ରତିଷ୍ଠାତା ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.