କେନ୍ଦ୍ର ସରକାରଙ୍କ ବନ୍ୟା ସହାୟତା ଘୋଷଣା: ଓଡ଼ିଶାକୁ ମିଳିଲା ୩୨୦.୯୪ କୋଟି, ଅନ୍ୟ ରାଜ୍ୟ ଭାଗରେ ଏତିକି

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ, ୨୯/ ୦୧: ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦେଶର ୫ ଟି ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧିନରେ ଏହି ସହାୟତା ରାଶି ଅନୁମୋଦନ ହୋଇଛି। କେନ୍ଦ୍ର ସରକାର ଶୁକ୍ରବାର ୫ଟି ରାଜ୍ୟ ପାଇଁ ୧,୭୫୧.୦୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିରେ ଓଡିଶାକୁ ୩୨୦.୯୪ କୋଟି ଟଙ୍କା ଦିଆଯାଇଛି। ଅନ୍ୟ ରାଜ୍ୟ ଗୁଡିକ ହେଲା ଆସାମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ।

୨୦୨୦ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାରେ ଉପୁଜିଥିବା ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ରାଜ୍ୟ ପାଇଁ କେନ୍ଦ୍ର ସରକାର ସହାୟତା ରାଶି ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ପାଞ୍ଚଟି ରାଜ୍ୟ ପାଇଁ ଏହି ସହାୟତା ରାଶି ଘୋଷଣା କରିଛି।

ଆସାମ ପାଇଁ ସର୍ବାଧିକ ୪୩୭.୧୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ ପାଇଁ ୭୫ କୋଟି ୮୬ ଲକ୍ଷ ଟଙ୍କା। ସେହିପରି ଓଡ଼ିଶା ପାଇଁ ୩୨୦ କୋଟି ୯୪ ଲକ୍ଷ ମଞ୍ଜୁର ହୋଇଥିବା ବେଳେ ତେଲେଙ୍ଗାନା ପାଇଁ ୨୪୫.୯୬ କୋଟି ଓ ଉତ୍ତର ପ୍ରଦେଶ ପାଇଁ ୩୮୬.୦୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର।

ସମସ୍ତ ପାଞ୍ଚ ରାଜ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ  କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟକୁ ଅପେକ୍ଷା ନକରି  ନିଜ ଆଡୁ ଅନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ। କେନ୍ଦ୍ରୀୟ ଟିମ୍‌ର ରିପୋର୍ଟ ଆଧାରରେ ଏହି ୫ ରାଜ୍ୟ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ଏହା ବ୍ୟତୀତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଏସଡିଆରଏଫରୁ ୧୯,୦୩୬.୪୩ କୋଟି ଟଙ୍କା ଏବଂ ଏନଡିଆରଫଏରୁ ୪,୪୦୯.୭୧ କୋଟି ଟଙ୍କା ଜାରି କରି ସାରିଛି।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧିନ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିବା ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶର ଭାଇ ଓ ଭଉଣୀଙ୍କୁ ସାହାଯ୍ୟ କରିବାର ସଂକଳ୍ପ  ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.