ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ:୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୫ପ୍ରତିଶତ ଲକ୍ଷ୍ୟ

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ ୩୧।୦୧ - ଆରମ୍ଭ ହେଲା ବଜେଟ ଅଧିବେଶନ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଆଣିଥିବା ବେଳେ ଏଥିରେ ଅଭିବୃଦ୍ଧି ହାର ୬ରୁ ୬.୫ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେପଟେ ଆଜି ବଜେଟ ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଗୃହକୁ ସମ୍ବୋଧନ କରିଥିବା ବେଳେ ଏହି ସମୟରେ ବିରୋଧୀ ହୋ ହଲ୍ଲା କରିଥିଲେ।

ବଜେଟ ଅଧିବେଶର ପ୍ରଥମ ଦିନ। ପାର୍ଲାମେଣ୍ଟ ବାହାରେ ଥିଲା ଦୁଇଟି ଦୃଶ୍ୟ । ରାଷ୍ଟ୍ରପତିଙ୍କୁ ସ୍ବାଗତ ଆଉ ସେପଟେ ବିରୋଧୀଙ୍କ ଧାରଣା। ରାଷ୍ଟ୍ରପତି ଭବନରୁ ଘୋଡ଼ାସବାର ବାହିନୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାଛୋଟି ନେଇଥିଲେ। ଦିଲ୍ଲୀ ରାଜପଥରେ ଧଳାକୁହୁଡ଼ି ଆଉ ତା ଭିତରେ ଲାଲ ୟୁନିଫର୍ମରେ ସେନାର ଘୋଡ଼ାସବାର ବାହିନୀ। ଏମାନଙ୍କ ମଝିରେ କଳାକାରରରେ ରାଷ୍ଟ୍ରପତି କୋବିନ୍ଦ ପହଞ୍ଚିଥିଲେ ପାର୍ଲାମେଣ୍ଟରେ। ତେବେ ବିରୋଧୀ ଆଜି ଗୃହ ବାହାରୁ ଗୃହ ଭିତର ଯାଏଁ ହୋହଲ୍ଲା କରିଥିଲେ। ଆଉ ଏହା ଭିତରେ ମୋ ସରକାରର ରୂପରେଖ ଉପସ୍ଥାପନ କରିଥିଲେ ରାଷ୍ଟ୍ରପତି କୋବିନ୍ଦ। ସଂସଦଭବନର କେନ୍ଦ୍ରୀୟ କକ୍ଷରେ ଉଭୟ ଗୃହର ସାସଂଦଙ୍କୁ ସମ୍ବୋଧିତ କରିଥିଲେ। ଯେଉଁ ସିଏଏକୁ ନେଇ ବିରୋଧୀଙ୍କ ଶହେ ଆପତ୍ତି ସେହି ସିଏଏକୁ ନେଇ ରାଷ୍ଟ୍ରପତି କୋବିନ୍ଦ କହିଥିଲେ ଯେ ଏହା ଗାନ୍ଧିଜୀଙ୍କର ଇଚ୍ଛା ଥିଲା।

ବିରୋଧୀଙ୍କୁ ଏ କଥା ହଜମ ହୋଇନଥିଲା। ତେଣୁ ବିରୋଧୀ ଆଗକୁ ରାଷ୍ଟ୍ରପତି ଯାହା କହିଥିଲେ ବି ଏହାକୁ ଗ୍ରହଣ କରିପାରିବା ମୁଡରେ ନଥିଲେ। ଏବଂ ହୋ ହଲ୍ଲା ଜାରି ରଖିଥିଲେ। ବିରୋଧୀଙ୍କ ଏଭଳି ଆଚରଣକୁ ତୀବ୍ର ସମାଲୋଚନା କରିଛି ବିଜେପି।

ସେପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମଣ ବଜେଟ ପର୍ବରୁ ଗୃହରେ ଉପସ୍ଥାପନ କରିଛନ୍ତି ଆର୍ଥିକ ସର୍ଭେ ରିପୋର୍ଟ। ଅର୍ଥନୈତିକ ସର୍ଭରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୫ପ୍ରତିଶତ ଲକ୍ଷ୍ଯ ରଖାଯାଇଛି । ଏବେ ଅଭିବୃଦ୍ଧି ହାର ୫% ରହିଥିବା ବେଳେ ଅର୍ଥନୀତି କ୍ଷେତ୍ରରେ ଆହୁରି ସଂସ୍କାରଧର୍ମୀ ପଦକ୍ଷେପ ନେବା ଜରୁରୀ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।

ସର୍ଭେରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଥାଳିନୋମିକ୍ସ ପାଠ ପଢାଇଛନ୍ତି । ୨୦୦୬-୦୭ରୁ ୨୦୧୯-୨୦ ପର୍ଯ୍ୟନ୍ତ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୦ଟି ସେଣ୍ଟରରେ କରାଯାଇଥିବ ସର୍ଭେ ଅନୁଯାୟୀ ଦେଶରେ ଲୋକଙ୍କ ପାଖରେ ଭେଜ୍ ଥାଳିର ଉପଲବ୍ଧ ହାରରେ ୨୯ ପ୍ରତିଶତ ବୃଦ୍ଧି ପାଇଛି। ଆଉ ନନ୍ଭେଜ୍ ଥାଳିରେ ଉପଲବ୍ଧ ହେବାରେ ୧୮ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ ବିଶ୍ବରେ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଭାରତ ଉପରେ ଏହାର ପ୍ରଭାବର ପଡିଛି ।

୫ଟ୍ରିଲିଅନ ଅର୍ଥନୀତି ପାଇଁ ଦେଶର ଅଭିବୃଦ୍ଧି ହାର ୮ପ୍ରତିଶତ ହେବା ଜରୁରୀ ବୋଲି ଆକଳନ କରାଯାଉଥିବା ବେଳେ ଏହି ଟାର୍ଗେଟ ପୂରଣ କରିବା ନିର୍ମଳାଙ୍କ ପାଇଁ ଚାଲେଞ୍ଜ । ବଜେଟ ଉପସ୍ଥାପନ ପୂର୍ବରୁ ଟିମ୍‌ ବଜେଟର ଗ୍ରୁପ୍‌ ଫଟୋ ବି ବେଶ୍‌ ଭାଇରାଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.