କେନ୍ଦ୍ରର ଜନମାରଣ ନୀତି, ନୀଳଗିରି ଅଯୋଧ୍ୟା ମାଟିରୁ କଂଗ୍ରେସର ଜନ ଜାଗରଣ ଅଭିଯାନ ଆରମ୍ଭ

Published By : Prameya-News7 Bureau | November 14, 2021 IST

ନୀଳଗିରି,୧୪/୧୧: କେନ୍ଦ୍ରର ଭାଜପା ସରକାରଙ୍କ ଦରଦାମ ବୃଦ୍ଧି ଓ ଜନମାରଣ ନୀତି ବିରୁଦ୍ଧରେ ଅଖିଳ ଭାରତୀୟ କଂଗ୍ରେସର ଆହ୍ୱାନ ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି ବାଲେଶ୍ଵର ଜିଲ୍ଲା କଂଗ୍ରେସ ନୀଳଗିରି ଅଯୋଧ୍ୟା ମାଟିରୁ ଜନ ଜାଗରଣ ପଦଯାତ୍ରାର ଶୁଭାରମ୍ଭ କରିଛି। ଏହି ଅବସରରେ ୭ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ନେଇ ପଦଯାତ୍ରା ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନ କରେଇଥିଲେ l

ଏହି ପଦଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି, ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ପ୍ରଫେସନାଲ କଂଗ୍ରେସ ସଭାନେତ୍ରୀ ମମତା କୁଣ୍ଡୁ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ଅକ୍ଷୟ ଆଚାର୍ଯ୍ୟ, କଂଗ୍ରେସ ନେତ୍ରୀ ମନୋଜା ମଞ୍ଜରୀ ଦେବୀ, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ,ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପରମିତା ମହାନ୍ତି, ବ୍ଲକ ସଭାପତି ମନୋରଞ୍ଜନ ପଣ୍ଡା, ଏନଏସି ସଭାପତି ଉପେନ୍ଦ୍ର ବେହେରା, ଯୁବନେତା ବ୍ରଜ କିଶୋର ରାଜ, ଯଶୋଦା ନନ୍ଦନ ସିଂହ ପ୍ରମୁଖ ନେତୃମଣ୍ଡଳୀ ଯୋଗ ଦେଇଥିଲେ।

ଦିନକୁ ଦିନ ବଢୁଥିବା ଦରଦାମରେ ଲୋକେ ଅତିଷ୍ଠ ହେଇଥିବା ବେଳେ ଗରିବ ଖଟିଖିଆ ଶ୍ରେଣୀର ଲୋକମାନେ ନିଜର ପେଟ ପୋଷିବାରେ ଅସମର୍ଥ ହେଉଥିବା କୁହାଯାଇଛିl ମୋଦୀ ସରକାର ଜନତାଙ୍କ ପକେଟ କାଟି ଅମ୍ବାନୀ - ଅଦାନୀ ଭଳି ପୁଞ୍ଜିପତିଙ୍କ ପକେଟ ଭରୁଛନ୍ତି ବୋଲି ଜିଲ୍ଲାସଭାପତି ଶ୍ରୀ ଗିରି କହିଥିଲେ। ଗଡ଼ଜାତ ମାଟିରେ  ରାଜତନ୍ତ୍ରରୁ ମୁକୁଳିବା ପାଇଁ ଅଯୋଧ୍ୟା ଗାଁରୁ ଆରମ୍ଭ ହୋଇଥିଲା ପ୍ରଜା ଆନ୍ଦୋଳନ।ସେହିପରି ଆଜି ଏହିଠାରୁ ଆନ୍ଦୋଳନ କଂଗ୍ରେସ ଶୁଭାରମ୍ଭ କରି ଜନ ଜାଗରଣ କରିଥିବା ବେଳେ ଏହାକୁ ଗାଁଗାଁରେ ପ୍ରସାରିତ କରିବା କୁ ହେବବୋଲି ପୁର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ କହିଥିଲେ।

କେନ୍ଦ୍ର ସରକାର କୃଷି ବିରୋଧୀ ନୀତି ଆରମ୍ବ କରିଥିବା ବେଳେ ପୁଞ୍ଜିପତିଙ୍କ ଇସାରାରେ ଚାଲିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ମିଳିମିଶି ଲଢେଇ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ କହିଥିଲେ। ସେହିଭଳି ଯୁବ କଂଗ୍ରେସ କର୍ମୀ ମାନଙ୍କର ଦଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାର ଅଛି। ସାଧାରଣ ହିତାଧିକାରୀ କିପରି ନିଜର ହକ ପାଇବ ଏଥିପ୍ରତି ଯୁବଗୋଷ୍ଠୀ ଲଢେଇ କରିବାର ଆବଶ୍ୟକତା ଅଛି ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି କହିଥିଲେ।ସେଭଳି ଅନ୍ୟ କଂଗ୍ରେସ ନେତା ଓ ନେତ୍ରୀ ମାନେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ।ଏହି ପଦଯାତ୍ରା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗିରି ସୂଚନା ଦେଇଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.