କରୋନା ମୁକାବିଲା ପାଇଁ କ'ଣ ରହିଛି 'ଜାତୀୟ ପ୍ଲାନ' ? ୨୦୦ ପୃଷ୍ଠା ଲେଖି ସୁପ୍ରିକୋର୍ଟକୁ ଜଣାଇଲେ କେନ୍ଦ୍ର ସରକାର

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ ୨୭।୦୪: କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟରେ ୨୦୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କେନ୍ଦ୍ର କରୋନା ସହ ଲଢେଇ ପାଇଁ ଜାତୀୟ ଯୋଜନା ବା ନ୍ୟାସନାଲ ପ୍ଲାନ କଣ ରହିଛି ସେହି ବିଷୟରେ ସୂଚନା ଦେଇଛନ୍ତି। ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ, ଜରୁରୀ ଯୋଗାଣ ଏବଂ ସେବାନକୁ ନେଇ ରହିଥିବା ଯୋଜନା ବିଷୟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏହି ଯୋଜନାରେ ଦୈନନ୍ଦିନ କରୋନା ପରିଚାଳନା ବିଷୟରେ ଦର୍ଶାଯାଇ ନାହିଁ।

ସତ୍ୟପାଠରେ କୁହାଯାଇଛି ଯେ, ସେପ୍ଟେମ୍ବର ମଧ୍ୟ ଭାଗରେ ସଂକ୍ରମଣ ମାମଲା କମ ହେବା ସମୟରେ ମଧ୍ୟ କେନ୍ଦ୍ର ସରକାର ଜିଲ୍ଲାସ୍ତର ପର୍ଯ୍ୟନ୍ତ କରୋନାର ସ୍ଥିତି ଉପରେ ନଜର ରଖିଥିଲେ। ରାଜ୍ୟଗୁଡିକୁ ସତର୍କ ରହିବା ଏବଂ କୌଣସି ବି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା।

ଏଥିରେ କେନ୍ଦ୍ର ସରକାର କେତେ ଲୋକଙ୍କ ଟିକାକରଣ ହୋଇଛି ତାର ସବିଶେଷ ସୂଚନା ଦେଇଛି। ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ ଟିକାକରଣ କରାଯିବ ବୋଲି ଉଲ୍ଲେଖ ରହିଛି। ଜାତୀୟ ଯୋଜନାରେ ବର୍ତ୍ତମାନ ସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ଅନେକ ପଦକ୍ଷେପ ବିଷୟରେ କୁହାଯାଇଛି।

ଭ୍ୟାକସିନ ପ୍ରସ୍ତୁତ ପାଇଁ Haffkine Biopharmaceutical Corporation Ltdକୁ ପ୍ରାୟ ୬୫ କୋଟି ଟଙ୍କା ଭାରତ ସରକାରଙ୍କ ତରଫରୁ ଦିଆଯାଇଛି। ଡିସିଜିଆଇ ଏବଂ ଷ୍ଟେଟ୍ ଡ୍ରଗ୍ କଣ୍ଟ୍ରୋଲର କଳାବଜାରୀ ଉପରେ ରୋକ୍ ଲଗାଇବା ଦିଗରେ କଡା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଅକ୍ସିଜେନ୍ ଯୋଗାଣ ନେଇ କଣ କଣ ପଦକ୍ଷେପ ନିଆଯାଇଛି ତାର ବିସ୍ତୃତ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.