ବଢ଼ୁଛି କରୋନା ସଂକ୍ରମଣ, ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ପଠାଇଲା ଉଚ୍ଚସ୍ତରୀୟ ଟିମ୍‌

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ ୨/୦୭: ଦେଶରେ କରୋନାର ଦ୍ବିତୀୟ ଲହର ଶକ୍ତିହୀନ ହେଉଥିବା ବେଳେ ୬ ରାଜ୍ୟରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ୬ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସବୁ ରାଜ୍ୟରେ ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ଟିମ୍‌ ପଠାଯାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

କେରଳ, ଅରୁଣାଚଳପ୍ରଦେଶ, ତ୍ରିପୁରା, ଓଡ଼ିଶା, ଛତିଶଗଡ଼ ଏବଂ ମଣିପୁର ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍‌। ଶୁକ୍ରବାର ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୨୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅରୁଣାଚଳପ୍ରଦେଶରେ ୩୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଛତିଶଗଡ଼ରେ ଗୁରୁବାର ଦିନ ୪୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କେରଳରେ ସଂକ୍ରମିତଙ୍କ କଥା କହିଲେ ଗୁରୁବାର ଦିନ ରାଜ୍ୟରୁ ୧୨୮୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯.୩୭ ଲକ୍ଷ ପାର କରିଛି। ଏହା ସହ ୨୪ ଘଣ୍ଟାରେ ୧୨୪ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ।

କରୋନା ପରିଚାଳନା ଦ୍ବାରା ରାଜ୍ୟରେ ସଂକ୍ରମଣ କମ୍‌ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ କେନ୍ଦ୍ରୀୟ ଟିମ୍‌। ଏହା ସହ ଟେଷ୍ଟିଂ, କଣ୍ଟେନମେଣ୍ଟ ଜୋନ୍‌, ହସ୍ପିଟାଲ ବେଡ୍‌ ଏବଂ ଭେଣ୍ଟିଲେଟର ଉପଲବ୍ଧାକୁ ନେଇ ଏହି ଟିମ୍‌ ସମୀକ୍ଷା କରିବେ। କରୋନା ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ସରକାରଙ୍କୁ ଯଥୋଚିତ ପରାମର୍ଶ ଦେବେ ଏହି ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ ଟିମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.