ଡାକ୍ତରଙ୍କ ସୁରକ୍ଷା ଲାଗି ୯ ସୂତ୍ରୀ ଆଡଭାଇଜରି କଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ, ରାଜ୍ୟ କହିଲା ଆଗରୁ ପାଳୁଛୁ ନିୟମ

Published By : Prameya-News7 Bureau | July 14, 2019 IST

ଭୁବନେଶ୍ବର ୧୪|୭: ଡାକ୍ତରଙ୍କ ସୁରକ୍ଷା ଲାଗି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି  ଜାରି କରିଛନ୍ତି କେନ୍ଦ୍ର ସରକାର ।  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ଜାରି କରିଥିବା ଆଡଭାଇଜରିରେ  ଡାକ୍ତର ଓ ମେଡ଼ିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ  ସ୍ପେଶାଲ୍  ସିକ୍ୟୁରିଟି ବ୍ୟବସ୍ଥା ସହ ୯ଟି ପଏଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି । କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମାର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।  

କୋଲକାତାରେ ଡାକ୍ତରଙ୍କୁ ମାଡ଼ ଓ ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନ ପରେ ଜାରି ହେଲା ଆଡଭାଇଜରୀ।  ଦେଶରେ ବିଭିନ୍ନ ସମୟରେ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଓ ଏହାର ପ୍ରଦିବାଦରେ ଆନ୍ଦୋଳନକୁ ରୋକିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ଏମିତି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାରି ହୋଇଥିବା ଆଡଭାଇଜରିରେ ୯ଟି ବିଷୟକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।

୧- ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ପେଶାଲ ସିକ୍ୟୁରିଟି ବ୍ୟବସ୍ଥା ।

୨- ହସ୍ପିଟାଲ ଗୁଡିକରେ ସିସିଟିଭି କ୍ୟାମେରା ଲଗାଇବା ।

୩- ଆବଶ୍ୟକ ସ୍ଥଳେ ତୁରନ୍ତ ସୁରକ୍ଷା ଯୋଗାଇବା ଲାଗି କ୍ବିକ୍ ଆକ୍ସନ ଟିମ ମୁତୟନ  ।

୪- ସୁରକ୍ଷା ବ୍ୟବସ୍ଥା ମନିଟରିଂ ପାଇଁ ହାଇ ଟେକ୍ନୋଲୋଜି ସଂପନ୍ନ କଣ୍ଟ୍ରୋଲ ରୁମ ଖୋଲିବା ।

୫- ରୋଗୀଙ୍କ ସଂପର୍କୀୟଙ୍କ ଛଡା ମେଡିକାଲ ଭିତରକୁ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିବା ।

୬- ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଦୁର୍ବ୍ୟବହାର କଲେ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ଏତଲା ଦେଇ ମାମଲା ରୁଜ୍ଜୁ କରିବା ।

୭- ଚିକିତ୍ସା ଅବହେଳା ଅଭିଯୋଗର ତଦାରଖ ଲାଗି ନୋଡାଲ ଅଫିସର ନିଯୁକ୍ତି ।

୮- ଖାଲିପଡିଥିବା ଡାକ୍ତର ଓ ଷ୍ଟାଫ ପଦବୀ ପୁରଣ  ।

୯- ସହରାଞ୍ଚଳ ଅପେକ୍ଷା ଦୁର୍ଗମ ଅଞ୍ଚଳରେ କାମ କରୁଥିବା ଡାକ୍ତରଙ୍କୁ ଉନ୍ନତ ଭିତ୍ତିଭୂମି ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ  ଯୋଗାଇ ଦେବା।

ତେବେ କେନ୍ଦ୍ରର ଏହି ଆଡଭାଇଜରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଏସବୁ ବିଷୟକୁ ନେଇ ବହୁ ପୂର୍ବରୁ ସୁରକ୍ଷା ଲାଗି ଆଇନ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ଆଡଭାଇଜରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ଡାକ୍ତରୀ ସଂଘ । ଓମସାର ପୂର୍ବତନ ସଭାପତି କହିଛନ୍ତି ଡାକ୍ତର ଏବେ ବି ଦେଶରେ ନିର୍ଭୟରେ ରୋଗୀ ସେବା କରିପାରୁ ନାହାନ୍ତି । ସରକାର କେବଳ କାଗଜ କଲମରେ ଆଡଭାଇଜରି ଜାରି ନକରି ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦରକାର ।

ସେପଟେ ରୋଗୀ ଅଧିକାର ମଞ୍ଚ  କହିଛି ସରକାର କେବଳ ଡାକ୍ତରଙ୍କ କଥା ନକହି ରୋଗୀଙ୍କ କଥାକୁ ବି ଦୃଷ୍ଟିଦେବା ଦରକାର । ରୋଗୀ କିପରି ସଠିକ ସେବା ଉଚିତ ମୂଲ୍ୟରେ ପାଇବେ ସେଥିଲାଗି ବ୍ୟବସ୍ଥା କରାଯିବା ଦରକାର। ତେବେ କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର ଯଦି ରୋଗୀଙ୍କୁ ଉପଯୁକ୍ତ ସେବା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଦିଅନ୍ତି ତେବେ ଏପରି ଅଭିଯୋଗ କମିପାରିବ ଓ ରୋଗୀ ଓ ଡାକ୍ତରଙ୍କ ଭିତରେ ସଂପର୍କ ଭଲ ରହିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.