କରୋନା ମୁକାବିଲା ପାଇଁ କେନ୍ଦ୍ରର ଆପତକାଳୀନ ପ୍ୟାକେଜ୍, ରାଜ୍ୟକୁ ଦେଲେ ୧୫ ହଜାର କୋଟି ଟଙ୍କା

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ, ୦୯|୦୪:  କେନ୍ଦ୍ର ସରକାର କରୋନା ଭାଇରସ ମୁକାବିଲା ପାଇଁ କୋଭିଡ-୧୯ ଏମରଜେନ୍ସୀ ରେସପନ୍ସ ସ୍ୱାସ୍ଥ୍ୟ ପ୍ୟାକେଜରେ ୧୫ ହଜାର କୋଟି ଟଙ୍କା ଜାରି କରିଛନ୍ତି । ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଅର୍ଥ ପ୍ରଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ରାଶି କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯିବ ।

ଜାତୀୟ ହେଲଥ୍ ମିଶନର ଅଧ୍ୟକ୍ଷ ବନ୍ଦନା ଗୁରୁନାନୀ ଏକ ସର୍କୁଲାର ଜାରି କରି କହିଛନ୍ତି ଯେ, ଶତ ପ୍ରତିଶତ ସେଣ୍ଟ୍ରାଲ ପ୍ରୋଜେକ୍ଟକୁ ଜାନୁଆରୀ ୨୦୨୦ରୁ ମାର୍ଚ୍ଚ ୨୦୨୪ ଯାଏଁ ତିନୋଟି ପର୍ଯ୍ୟାୟରେ ଲାଗୁ କରାଯିବ । ଏହି ପ୍ରୋଜେକ୍ଟରେ ସଂକ୍ରମିତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ ଦେବା ସହ ଓ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରାଯିବ । ଏହାସହ ମେଡିକାଲ ଉପକରଣ, ଔଷଧ କିଣାବିକା, ଲ୍ୟାବ୍ ନିର୍ମାଣ ଓ ବାୟୋ ସିକ୍ୟୁରିଟୀ ପ୍ରସ୍ତୁତି ଓ ଏହାର ପରୀକ୍ଷଣକୁ ମଜବୁତ କରାଯିବ । ଏହି ସର୍କୁଲାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସ୍ୱାସ୍ଥ୍ୟ କମିଶନରଙ୍କୁ ପଠାଯାଇଛି । ଏଥିରେ ତତ୍କାଳ ଫଣ୍ଡ୍ ଜାରି କରାଯିବା ନେଇ କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ହସ୍ପିଟାଲ ନିର୍ମାଣ, ଅନ୍ୟ ହସ୍ପିଟାଲର ବିିକାଶ, ଆଇସୋଲେସନ ରୁମ, ଆଇସିୟୁ, ଅକ୍ସିଜେନ ସୁବିଧା, ହସ୍ପିଟାଲ ଲ୍ୟାବ ନିର୍ମାଣ ପାଇଁ ରାଜ୍ୟକୁ କୁହାଯାଇଛି । ଆହୁରି ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଲ୍ୟାବ୍ ଓ ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି କରାଯିବ । କେନ୍ଦ୍ରୀୟ ପ୍ୟାକେଜରେ ରାଜ୍ୟ ସୁରକ୍ଷା ଉପକରଣ, ମାସ୍କ ଓ ଭେଣ୍ଟିଲେଟର ଆଦି ପ୍ରସ୍ତୁତ କରିବା ନେଇ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.