ଫନି ପାଇଁ ଓଡିଶାକୁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା

Published By : Prameya-News7 Bureau | August 21, 2019 IST

ନୂଆଦିଲ୍ଲୀ ୨୧|୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ଫନି ପାଇଁ ଓଡ଼ିଶାକୁ ୩୩୩୮.୨୨ କୋଟି ଟଙ୍କା ଅତିରିକ୍ତ ସହାୟତା ରାଶି ମଞ୍ଜୁର କରାଯାଇଛି । 

ଏହି ବୈଠକରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତଥା ଗୃହ, ଅର୍ଥ, କୃଷି ଓ ନୀତି ଆୟୋଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶାକୁ ଫନି ବାତ୍ୟା ପୂର୍ବରୁ ଏପ୍ରିଲ ୨୯, ୨୦୧୯ରେ ଏସଡିଆରଏଫ ଅନ୍ତର୍ଗତ ଅଗ୍ରୀମ ୩୪୦.୮୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬.୫.୨୦୧୯ରେ ଓଡ଼ିଶା ଗସ୍ତ କରିଥିଲେ ଏବଂ ତାଙ୍କ ଘୋଷଣା ଅନୁଯାୟୀ ଆଉ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏଥି ସହିତ ମୃତ ବ୍ୟକ୍ତିମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରାଯାଇଥିଲା । ଫନି ସମୟରେ କେନ୍ଦ୍ର ସରକାର ଓଡ଼ିଶାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫର ୭୧ଟି ଦଳ, ଭାରତୀୟ ସେନାର ୧୯ ଦଳ, ୯ ଇଞ୍ଜିନିରୟରିଂ ଟାସ୍କ ଫୋର୍ସ, ୨୭ଟି ବିମାନ (ହେଲିକପ୍ଟର) ଏବଂ ୧୬ଟି  ଜାହାଜରେ ସେନାର ଯବାନମାନଙ୍କୁ ପଠାଇଥିଲା । ପ୍ରଭାବିତ ଜିଲ୍ଲାମାନଙ୍କରେ ବିଦ୍ୟୁତ୍ ଯୋଗାଣ ଏବଂ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲା ।

ଏଥି ସହିତ ଏହି ଉଚ୍ଚସ୍ତରୀୟ ବୈଠକରେ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶକୁ ମଧ୍ୟ ମରୁଡ଼ି, ବରଫପାତ ଏବଂ ଭୂସ୍ଖଳନ ପାଇଁ ସହାୟତା ରାଶି ମଞ୍ଜରୁ କରାଯାଇଛି । ଏହି ୩ଟି ରାଜ୍ୟକୁ କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ଅନୁଦାନ ରାଶି (ଏନଡିଆରଏଫ) ରୁ ମୋଟ୍ ୪୪୩୨.୧୦ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି । ମରୁଡ଼ି ପାଇଁ କର୍ଣ୍ଣାଟକକୁ ୧୦୨୯.୩୯ କୋଟି ଏବଂ ଭୂସ୍ଖଳନ ଓ ବରଫପାତ ଲାଗି ହିମାଚଳ ପ୍ରଦେଶକୁ ୬୪.୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ପୂର୍ବରୁ କେନ୍ଦ୍ର ଦ୍ବାରା ଏହି ରାଜ୍ୟମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଅନୁଦାନ ରାଶି (ଏସଡିଆରଏଫ) ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରାଯାଇଥିଲା । ତେବେ ଏନଡିଆରଏଫ ଅନ୍ତର୍ଗତ ଏହି ଅତିରିକ୍ତ ସହାୟତା ରାଶି ପୁନଶ୍ଚ ପ୍ରଦାନ କରାଯାଇଛି । ୨୦୧୮-୧୯ରେ କେନ୍ଦ୍ର ଏସଡିଆରଏଫ ଅନ୍ତର୍ଗତ ୨୪ଟି ରାଜ୍ୟକୁ ମୋଟ ୯୬୫୮ କୋଟି ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ୨୦୧୯-୨୦ରେ ବର୍ତମାନ ସୁଦ୍ଧା ୬୧୦୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.