ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଟ୍ରେଜେରି ଖୋଲିଦେଲେ କେନ୍ଦ୍ର ସରକାର: ୫୯ ହଜାର କୋଟି ଟଙ୍କା ସ୍କଲାରସିପ୍ ମଞ୍ଜୁର

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩/୧୨: ଅନୁସୂଚିତ ଜାତି(ଏସ୍‌ସି) ବର୍ଗର ଛାତ୍ରୀଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏସ୍‌ସି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି। ଆସନ୍ତା ୫ ବର୍ଷରେ ୪ କୋଟିରୁ ଉର୍ଦ୍ଧ୍ବ ଏସସି ଛାତ୍ରଛାତ୍ରୀଙ୍କ ମେଟ୍ରିକ୍‌ ପରବର୍ତ୍ତୀ ସ୍କଲାରସିପ୍‌ (ଛାତ୍ରବୃତ୍ତି) ପାଇଁ ୫୯ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି କେନ୍ଦ୍ର ସରକାର।  ମୋଟ ୫୯,୦୪୮ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ କେନ୍ଦ୍ର ୬୦ ପ୍ରତିଶତ(ପାଖାପାଖି ୩୫,୫୩୪ କୋଟି) ଖର୍ଚ୍ଚ ବହନ କରିବ। ବାକି ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ ବୋଲି କ୍ୟାବିନେଟ୍‌ ବୈଠକ ପରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।

ଏସ୍‌ସି ଛାତ୍ରଛାତ୍ରୀମାନଙ୍କୁ ଦଶମ ପରବର୍ତ୍ତୀ ଶିକ୍ଷା ଲାଭ କରିବାକୁ ମେଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି (ପୋଷ୍ଟ ମେଟ୍ରିକ୍‌ ସ୍କାଲାରସିପ୍‌) ସହାୟତା କରିବ। ଏହି ଯୋଜନାର ଫୋକସ୍‌ ଗରିବ ଛାତ୍ରଛାତ୍ରୀ, ଠିକ୍‌ ସମୟରେ ପେମେଣ୍ଟ, ଉତ୍ତରଦାୟିତ୍ବ, ଲଗାତର ସମୀକ୍ଷା ଓ ପାରଦର୍ଶିତା ଉପରେ ରହିବ ବୋଲି ବିଜ୍ଞପ୍ତିରେ କ୍ୟାବିନେଟ ପକ୍ଷରୁ ଉଲ୍ଲେଖ କରାଯାଇଛି।

ଦଶମ ପଢ଼ିବା ପରେ ୧.୩୬ କୋଟି ଗରିବ ଅନୁସୂଚତି ଜାତି ବର୍ଗର ଛାତ୍ରଛାତ୍ରୀ ପାଠପଢ଼ା ବନ୍ଦ କରିଛନ୍ତି। ତେବେ ସେମାନଙ୍କୁ ଏହି ଯୋଜନା ମାଧ୍ୟମରେ ୫ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଣାଯିବ। ଏହା ସହ ଏହି ଯୋଜନାର ସଠିକ୍‌ ପରିଚାଳନା ପାଇଁ ଅନଲାଇନ୍‌ ପ୍ଲାଟଫର୍ମ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯିବ। ଅନ୍‌ଲାଇନ୍‌ ପୋର୍ଟାଲରେ ହେବାକୁ ଥିବା ଆବେଦନ ଯାଞ୍ଚ କରିବେ ରାଜ୍ୟ ସରକାର। ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଜାତିଗତ ପ୍ରମାଣ ପତ୍ର, ଆଧାର କାର୍ଡ ଆଦି ରାଜ୍ୟ ସରକାର ଯାଞ୍ଚ କରିବେ।

ତେବେ ଏହି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଡିବିଟି ମାଧ୍ୟମରେ ଟଙ୍କା ପ୍ରଦାନ କରାଯିବ। ୨୦୨୧-୨୨ ପାଇଁ କେନ୍ଦ୍ର ସରକାର ଯୋଜନାର ୬୦ ପ୍ରତିଶତ ଅର୍ଥ ସମୟ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଖାତାକୁ ପଠାଇବେ। ପରେ ଏହାର ସ୍ବଚ୍ଛାତା ଓ ଠିକ୍‌ ସମୟରେ ପିଲା ଟଙ୍କା ପାଉଛନ୍ତି କି ନାହିଁ ଏହାର ଅଡିଟ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ୨୦୧୭-୧୮ ଓ ୨୦୧୯-୨୦ରେ କେନ୍ଦ୍ରୀୟ ସହାୟତା ବାର୍ଷୀକ ୧୧୦୦ କୋଟି ଥିବା ବେଳେ ଏହା ୫ ଗୁଣ ବଢ଼ି ୨୦୨୦-୨୧ରୁ ୨୦୨୫-୨୬ରେ ବାର୍ଷୀକ  ସହାୟତା ୬ ହଜାର କୋଟି ଟଙ୍କା କରାଯାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.