ଆଉ କିଛି ସମୟରେ ପାଲମ ଏୟାରପୋର୍ଟରେ ପହଞ୍ଚିବ ସିଡିଏସଙ୍କ ମରଶରୀର, ୮ଟା ୩୦ରୁ ଆରମ୍ଭ ହେବ ଶ୍ରଦ୍ଧାଞ୍ଜଳୀ ସମାରୋହ

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଲୀ ୦୯।୧୨ : ଆଉ କିଛି ସମୟରେ ପାଲମ ବିମାନ ବନ୍ଦରରେ ପହଞ୍ଚିବ ସିଡିଏସ ବିପିନ ରାଓ୍ଵତଙ୍କ ସମେତ ୧୩ ସୈନ୍ୟ ଅଧିକାରୀ-କର୍ମଚାରୀଙ୍କ ମର ଶରୀର। ଗୁରୁବାର ସନ୍ଧ୍ୟା ୭ଟା ୪୦ ମିନିଟ୍‌ରେ ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳୀ ସମାରୋହ ୮ଟା  ୩୦ରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଡିଏସ ବିପିନ ରାଓ୍ଵତଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ। ଗତକାଲି ତାମିଲନାଡୁର କୁନ୍ନୁର ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ସିଡିଏସ ରାଓ୍ଵତଙ୍କ ସମେତ ୧୩ ଜଣ ସେନାର ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ସିଡିଏସ ବିପିନ ରାଓ୍ଵତଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସମାରୋହ ୮ଟା ୩୦ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସିଡିଏସ ବିପିନ ରାଓ୍ଵତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ ଓ ବ୍ରିଗେଡିୟର ଏଲଏସ ଲିଡ୍ଡରଙ୍କ ପାର୍ଥିବ ଶରୀର ସେନାର ସ୍ଵତନ୍ତ୍ର ବିମାନ ଜରିଆରେ ପାଲମ ଏୟାରପୋର୍ଟ ପହଞ୍ଚିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ପ୍ରାୟ ୯ଟାରେ ସିଡିଏସ ବିପିନ ରାଓ୍ଵତ ଏବଂ ଅନ୍ୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ। ଏହିସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ତିନି ସେନାର ପ୍ରମୁଖ ଉପସ୍ଥିତ ରହିବେ।

{"id":556999,"sizeSlug":"full","linkDestination":"none"}

ଏ ପର୍ଯ୍ୟନ୍ତ କେବଳ ସିଡିଏସ ଜେନେରାଲ ବିପିନ ରାଓ୍ଵତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ ଏବଂ ବ୍ରିଗେଡିୟର ଏଲଏସ ଲିଡ୍ଡର ଏହି ତିନି ଜଣଙ୍କ ମୃତଶରୀର ଚିହ୍ନଟ ହୋଇ ପାରିଛି। ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପରେ ସେନାର ଅଧିକାରୀ ଏହି ତିନି ବ୍ୟକ୍ତିଙ୍କ ମରଶରୀର ପରିଜନଙ୍କୁ ପ୍ରଦାନ କରିବେ।

ସୂଚନା ଅନୁଯାୟୀ, ଡିଏନଏ ଯାଞ୍ଚ ଜରିଆରେ  ବାକି ମୃତକଙ୍କ ଦେହାବଶେଷର ଚିହ୍ନଟ କରାଯାଉଛି। ଏଥିପାଇଁ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନିଆଯାଉଛି। ସେନା ଉଦ୍ୟମ ଚଳାଇଛନ୍ତି ଯେ, ଦିବଙ୍ଗତ ସୈନ୍ୟ ଅଧିକାରୀଙ୍କ ପରିଜନଙ୍କ ଭାବନାକୁ ଉର୍ଦ୍ଧ୍ଵରେ ରଖାଯାଉ। ତେଣୁ ପାର୍ଥିବ ଶରୀରର ଚିହ୍ନଟ ସମ୍ବନ୍ଧିତ ଔପଚାରିକତା ପୂରା ହେବା ପର୍ଯ୍ୟନ୍ତ ମୃତ ଶରୀର ସେନାର ହସ୍ପିଟାଲ ବ୍ୟବଚ୍ଛେଦ ଗୃହରେ ରଖାଯିବ। ସେନା ସମସ୍ତ ମୃତକଙ୍କ ରାଜକୀୟ ଅନ୍ତିମ ସଂସ୍କାର ପାଇଁ ଯୋଜନା କରିଛି। ସେନା ପରିବାର ସଦସ୍ୟଙ୍କ ସହ କ୍ରମାଗତ ଯୋଗାଯୋଗରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.