ବର୍ଷେ ପର୍ଯ୍ୟନ୍ତ ପ୍ରତି ମାସରେ ପିଏମ କେୟାର ଫଣ୍ଡକୁ ୫୦ ହଜାର ଟଙ୍କା ଦାନ କରିବେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ

Published By : Prameya-News7 Bureau | May 24, 2020 IST

ନୂଆଦିଲ୍ଲୀ ୨୪/୦୫ : ବର୍ତ୍ତମାନ ପୁରା ଦେଶ କରୋନା ବିରୋଧରେ ଯୁଦ୍ଧ କରୁଛି | ବିଶ୍ୱ ମହାମାରୀ କରୋନା ଯୋଗୁଁ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି | ଏଥିପାଇଁ ସେଲିବ୍ରିଟି, ନେତା, ରାଜନେତା ତଥା ସାଧାରଣ ଜନତା ସରକାରଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଉଛନ୍ତି | ବର୍ତ୍ତମାନ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ସରକାରଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଛନ୍ତି | ଜେନେରାଲ ବିପିନ ରାୱତ ମହାମାରୀ ବିରୋଧରେ ଲଢ଼ିବା ପାଇଁ ପିଏମ କେୟାର ଫଣ୍ଡକୁ ଆସନ୍ତା ବାରେସେ ପାଇଁ ପ୍ରତି ମାସରେ ନିଜ ଦରମାରୁ ୫୦ ହଜାର ଟଙ୍କା ଦାନ କରିବାକୁ କହିଛନ୍ତି |

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ପ୍ରତିରକ୍ଷା ବିଭାଗ ଅଧିକାରୀଙ୍କୁ ଲେଖିଥିଲେ ଯେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ତାଙ୍କ ଦରମାରୁ ୫୦ ହଜାର ଟଙ୍କା କାଟି ପିଏମ କେୟାର ଫଣ୍ଡରେ ଜମା କରାଯାଉ | ଚିଠି ଲେଖିବା ପରେ ଏପ୍ରିଲ ମାସରେ ପ୍ରଥମଥର ତାଙ୍କ ଦରମାର ୫୦ ହଜାର କଟାଯାଇ ପିଏମ କେୟାର ଫଣ୍ଡରେ ଜମା କରାଯାଇଥିଲା | ଏହା ପୂର୍ବରୁ ମାର୍ଚ୍ଚ ମାସରେ ବିପିନ ରାୱତ ଅନ୍ୟ ସମସ୍ତ ସୁରକ୍ଷା କର୍ମଚାରୀଙ୍କ ସହ ଗୋଟିଏ ଦିନର ଦରମା ଦାନ କରିଥିଲେ | ବର୍ତ୍ତମାନ ସୁରକ୍ଷା ମନ୍ତ୍ରାଳୟର କର୍ମଚାରୀଙ୍କୁ ଆଗାମୀ ବର୍ଷେ ଆର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ଗୋଟିଏ ଦିନର ଦରମା ଦାନ କରିବାକୁ ବିକଳ୍ପ ଦିଆଯାଇଛି | କିନ୍ତୁ ଏହା ସ୍ବେଛାକୃତ ଭାବେ କରାଯିବ | 

{"id":275235,"sizeSlug":"large"}

ସୂତ୍ର ଅନୁଯାୟୀ, ବିପିନ ରାୱତ ପିଏମ କେୟାର ଫଣ୍ଡକୁ ପ୍ରତି ମାସରେ ୫୦ ହଜାର ଟଙ୍କା ଦାନ କରିବା ପରେ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ପ୍ରୋତ୍ସାହିତ ହୋଇ ଏହିଭଳି ପଦକ୍ଷେପ ନେଇପାରନ୍ତି | ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସଦସ୍ୟ ଏବଂ ପୂର୍ବତନ ତଟରକ୍ଷକ ମୁଖ୍ୟ ରାଜେନ୍ଦ୍ର ସିଂହ ମଧ୍ୟ ନିଜ ଦରମାର ୩୦ ପ୍ରତିଶତ ପିଏମ କେୟାର ଫଣ୍ଡକୁ ଦାନ କରିଛନ୍ତି | ସେନା ମୁଖ୍ୟ କାର୍ଯ୍ୟାଳୟର ଅନେକ ବରିଷ୍ଠ ଅଧିକାରୀ ପିଏମ କେୟାର ଫଣ୍ଡକୁ ଆର୍ଥିକ ସାହାଯ୍ୟ ଯୋଗାଇଛନ୍ତି |   

ଜେନେରାଲ ବିପିନ ରାୱତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ ବୈଠକରେ ଉପସ୍ଥିତ ହେଉଛନ୍ତି ଏବଂ ମହାମାରୀ ବିରୋଧରେ ଯୁଦ୍ଧ କରିବା ପାଇଁ ସୈନ୍ୟବାହିନୀ ସହ ମଧ୍ୟ କାର୍ଯ୍ୟ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.