ସିଡିଏସ ବିପିନ ରାଓ୍ଵତଙ୍କ ରୋକ୍‌ଠୋକ୍, କହିଲେ- ଯଦି ଚୀନ ସହିତ ଆଲୋଚନା ବିଫଳ ହୁଏ ତେବେ ଖୋଲା ରହିଛି ସୈନ୍ୟ ବିକଳ୍ପ

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪।୦୮: ପରୋକ୍ଷରେ ଚୀନକୁ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାଓ୍ଵତଙ୍କ ଚେତାବନୀ। ସେ କହିଛନ୍ତି ଯଦି ଲଦାଖରେ କଥାବାର୍ତ୍ତା ବିଫଳ ହୁଏ, ତେବେ ପରେ ସାମରିକ ବିକଳ୍ପ ଉପରେ ଆଲୋଚନା ହେବ। ଏଲଏସି ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ବିବାଦର ସମାଧାନ ପାଇଁ କମାଣ୍ଡର ସ୍ତରରେ ଲଗାତାର ଆଲୋଚନା ଚାଲିଛି । କିନ୍ତୁ ଗତକାଲି ଆଲୋଚନା ବେଳେ ଚୀନ୍ ର ‘ସମଦୂରତା ସେନା ପ୍ରତ୍ୟାହାର’ପ୍ରସ୍ତାବ ରଖିଥିଲା । ଯାହାକୁ ଭାରତର ପ୍ରତ୍ୟାଖ୍ୟାନ କରିଛି।

ଏହି ପରିପ୍ରେକ୍ଷୀରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଲଦାଖରେ ଚୀନ୍ ସୈନ୍ୟବାହିନୀ କରିଥିବା ପରିବର୍ତ୍ତନକୁ ନେଇ ସାମରିକ ବିକଳ୍ପ ଜାରି ରହିଛି। କିନ୍ତୁ ସାମରିକ ଏବଂ କୂଟନୈତିକ ସ୍ତରର ବୁଝାମଣା ବିଫଳ ହେବା ପରେ ଏହି ବିକଳ୍ପକୁ ବିଚାର କରାଯିବ। ପାଙ୍ଗଙ୍ଗ ସୋ ହ୍ରଦ ଓ ଗୋଗ୍ରାର ଉଷ୍ମପ୍ରସ୍ରବଣ ଅଞ୍ଚଳ ଇଲାକାରେ ଚୀନ ସେନା ଅପ୍ଟିକାଲ୍  ଫାଇବର ବିଛାଇବା ଜାରି ରଖିଥିବା ବେଳେ ଭାରତୀୟ ଯବାନମାନେ କୁଗ୍ରାଙ୍ଗର ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସ୍ଥିତି ଜାହିର କରିଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ଚୀନ୍  ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତାବସ୍ଥା ଫେରାଇ ଆଣିନାହିଁ, ଭାରତ ସେ ପର୍ଯ୍ୟନ୍ତ ସେଠାରେ ଏଭଳି ନିଜର ସ୍ଥିତିକୁ ସୁଦୃଢ଼ କରିଚାଲିଥିବ ବୋଲି ଜଣାଯାଇଛି।

ସେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଦାୟିତ୍ଵରେ ଥିବା ସମସ୍ତ ବ୍ୟକ୍ତି ବିଶେଷ ଏହି ଉଦ୍ଦେଶ୍ୟ ସହିତ ସମସ୍ତ ବିକଳ୍ପର ସମୀକ୍ଷା କରୁଛନ୍ତି ଯେ ପିଏଲଏ ଲଦାଖରେ ପୂର୍ବ ସ୍ଥିତାବସ୍ଥା ବଜାଏ ରଖୁ। ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନଏସଏ ଓ ତିନି ସେନା ପ୍ରମୁଖଙ୍କ ସହିତ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଜାରି ଗତିରୋଧ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.