Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରହସ୍ୟ ଘେରରେ କାଫେ କଫି ଡେର ପ୍ରତିଷ୍ଠାତା ବି. ଜି ସିଦ୍ଧାର୍ଥଙ୍କ ନିଖୋଜ ଘଟଣା, ନଦୀରେ ତଲାସି କରୁଛନ୍ତି ୨ଶହ ପୋଲିସ, କୋଷ୍ଟଗାର୍ଡ ଏବଂ ହେଲିକପ୍ଟର…

30/07/2019 at 7:23 PM

ମାଙ୍ଗାଲୋର୩୦|୭: କାଫେ କଫି ଡେ ସିସିଡି ମାଲିକ ବି. ଜି ସିଦ୍ଧାର୍ଥ ନିଖୋଜ ।  ମାଙ୍ଗାଲୋରରୁ ସୋମବାରଠୁ ସେ ନିଖୋଜ ହୋଇଯାଇଛନ୍ତି । ସିଦ୍ଧାର୍ଥ ନିଖୋଜ ହେବା ପରେ ତାଙ୍କର ଚିଠି ମିଳିଛି । ଯେଉଁଥିରେ ସେ ବୋର୍ଡ ଅଫ ଡିରେକ୍ଟର ଏବଂ ସିସିଡି ପରିବାରକୁ କମ୍ପାନୀର ମାନ୍ଦା ଅବସ୍ଥା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା କଥା କହିଛନ୍ତି ।  ତେବେ ତାଙ୍କ ଉପରେ ୭ ହଜାର କୋଟି ଟଙ୍କାର ଋଣ ରହିଥିବାରୁ ସେ ନିଖୋଜ ହେବା ପଛରେ ଅନେକ ରହସ୍ୟ ସାମ୍ନାକୁ ଆସୁଛି।

କୁଆଡେ ଗଲେ କାଫେ କଫି ଡେ ବା ସିସିଡି ର ପ୍ରତିଷ୍ଠାତା ଓ ମାଲିକ ଭି.ଜି ସିଦ୍ଧାର୍ଥ ?  କାଲିଠାରୁ ସେ ଘରକୁ ଫେରିନାହାନ୍ତି।  କଫି କିଙ୍ଗ ଭାବେ ଜଣାଶୁଣା ସିଦ୍ଧାର୍ଥ । ପରିବାର ଲୋକଙ୍କ କହିବା କଥା ସିଦ୍ଧାର୍ଥ ସୋମବାର ସନ୍ଧ୍ୟାରେ କାର୍ ନେଇ ଘରୁ ବାହାରିଥିଲେ । ମାଙ୍ଗଲୋର ପାଖରେ ଥିବା ନେତ୍ରାବତୀ ନଦୀ ପାଖରେ ଥିବା ପୋଲରେ କାର୍ ଅଟକାଇ କେଉଁଆଡେ ଚାଲିଯାଇଥିଲେ । ଘଣ୍ଟାଏ ପର୍ଯ୍ୟନ୍ତ ନଫେରିବାରୁ ଡ୍ରାଇଭର ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ନପାଇବାରୁ ପରିବାର ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।  କାରଣ କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି ନଦୀ ପୋଲରୁ ତଳକୁ ଡେଇଁଥିବା ସେମାନେ ଦେଖିଛନ୍ତି । ସେହି ଅନୁସାରେ ପୋଲିସ, ହେଲିକ୍ୟାପଟର ଏବଂ କୋଷ୍ଟଗାର୍ଡ ସହାୟତାରେ ଖୋଜାଖୋଜି ଚାଲିଛି । ପାଖାପାଖି ୨ଶହ ପୋଲିସ ଏହି ତଲାସି ଅଭିଯାନରେ ସାମିଲ ହୋଇଥିଲେ ବି ସିଦ୍ଧାର୍ଥଙ୍କର କୌଣସି ପତ୍ତା ମିଳିନାହିଁ ।

ସିସିଡି ଉପରେ ୭  ହଜାର କୋଟି ଟଙ୍କା ଋଣ ଭାର ଥିବା ଜଣାପଡିଛି ।  ସେପଟେ ସିଦ୍ଧାର୍ଥ ନିଖୋଜ ହେବା ପରେ ତାଙ୍କର ଚିଠି ମିଳିଛି । ଯେଉଁଥିରେ ସେ ବୋର୍ଡ ଅଫ ଡିରେକ୍ଟର ଏବଂ ସିସିଡି ପରିବାରକୁ କମ୍ପାନୀର ମାନ୍ଦାବସ୍ତା ଏବଂ ନିଜ ଉପରେ ଥିବା କରଜକୁ ନେଇ ବ୍ୟସ୍ତ ଥିବା କଥା ଉଲ୍ଲେଖ କରିଛନ୍ତି । ଏପରିକି ଆୟକର ବିଭାଗ ତାଙ୍କୁ ହଇରାଣ ହରକତ କରୁଥିବା ସେ ଉଲ୍ଲେଖ କରିଛନ୍ତି । ଏହି ଚିଠି ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବା ପରେ ଆୟକର ବିଭାଗ ସ୍ପଷ୍ଟୀକରଣ ଦେଇଛି । ଆୟକର ବିଭାଗ ନିଜ ସ୍ପଷ୍ଟୀକରଣରେ କହିଛି ଯେ ଚିଠିରେ ଥିବା ସିଦ୍ଧାର୍ଥଙ୍କର ସ୍ବାକ୍ଷର ନକଲି ଅଟେ।  ଫଳରେ ପୂରା ଘଟଣା ଆହୁରି ରହସ୍ୟମୟ ହୋଇ ପଡ଼ିଛି ।

ସିଦ୍ଧାର୍ଥ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏସ୍‌ ଏମ୍‌ କ୍ରିଷ୍ଣାଙ୍କର ଜ୍ବାଇଁ ।  ସିସିଡି ସମେତ ଏକାଧିକ କମ୍ପାନି ସହ ସେ ଜଡିତ ଥିଲେ। ସେୟାର ବଜାରରେ ମଧ୍ୟ ତାଙ୍କ କମ୍ପାନିର ଅଂଶଧନ ବିକ୍ରୟ ହେଉଥିଲା। ତାଙ୍କ ନିୟନ୍ତ୍ରଣରେ ଥିବା ମାଇଣ୍ଡ ଟ୍ରି ନାମକ ଅନ୍ୟ ଏକ କମ୍ପାନିରୁ ସେ ୩୨୦୦ କୋଟି ଟଙ୍କା ପାଇଥିଲେ। ଏବାବଦରେ ତାଙ୍କୁ ୩୦୦ କୋଟିର ଆୟକର ଦେବାକୁ ଥିବା ବେଳେ ସେ ଦେଇଥିଲେ ମାତ୍ର ୪୬ କୋଟି। ତେଣୁ ଆୟକର ବିଭାଗ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରା ଯାଇଥିଲା ବୋଲି କୁହାଯାଇଛି ।

   Related Posts