ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ପାଇଁ ଲକ୍ଷେ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପିଟିସନ, ସେପଟେ ସୁରକ୍ଷିତ ପରୀକ୍ଷା ଆୟୋଜନ ପାଇଁ ପ୍ରସ୍ତୁତ ସିବିଏସଇ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ,୦୮।୪: ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ ଆବେଦନ । କୋଭିଡ୍ ସ୍ଥିତିରେ ପରୀକ୍ଷା ଚାହୁଁନାହାଁନ୍ତି ଛାତ୍ରଛାତ୍ରୀ । ସଂକ୍ରମଣର ରହିଛି ବିପଦ । ପ୍ରାୟ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ପାଇଁ ଅନଲାଇନରେ ଏକ ପିଟିସନରେ ସ୍ୱାକ୍ଷର କରିଛନ୍ତି । ଏହି ପିଟିସନ୍ ପରେ କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସମସ୍ତ ଗାଇଡଲାଇନ୍ ପାଳନ କରାଯାଇ ପରୀକ୍ଷା କରାଯିବ ବୋଲି ଘୋଷଣା କରାଯାଇଛି । ଏନେଇ ଇଣ୍ଡିଆ.କମ୍ ପୋର୍ଟାଲରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ସିବିଏସଇ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କରୋନା ଗାଇଡଲାଇନ୍ ପାଳନ କରାଯାଇ ପରୀକ୍ଷା ଆୟୋଜିତ ହେବ । ସାରା ଦେଶରେ ପରୀକ୍ଷା କେନ୍ଦ୍ରକୁ ୪୦ରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ପରୀକ୍ଷା ସମୟରେ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରାଯିବ । କେନ୍ଦ୍ରରେ କିପରି କୋଭଡ୍ ଗାଇଡଲାଇନକୁ କଡାକଡି କରାଯିବ ସେନେଇ ପରିଚାଳକ ତଦାରଖ କରିବେ ।

ଗତ ସପ୍ତାହରେ ସିବିଏସଇ କହିଥିଲା ଯେ, ଯଦି ଛାତ୍ରଛାତ୍ରୀମାନେ କୋଭିଡ୍ ପଜିଟିଭ୍ ହେବା କାରଣରୁ ପ୍ରାକ୍ଟିକାଲ ଦେଇନଥିଲେ ସେମାନଙ୍କୁ ପୁଣି ସୁଯୋଗ ମିଳିବ । ତେବେ ଥିଓରୀ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ ନା ନାହିଁ ସେନେଇ ବୋର୍ଡ ପକ୍ଷରୁ କିଛି କୁହାଯାଇ ନାହିଁ । ସିଆଇଏସସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ସମ୍ପାଦକ ଗେରୀ ଆରାଥନ୍ କହିଛନ୍ତି ଯେ, ସିବିଏସଇ ବୋର୍ଡ ପରୀକ୍ଷାର ସୂଚୀରେ କୌଣସି ପରିବର୍ତ୍ତନ ହେବନାହିଁ ।

ସୂଚନାଯୋଗ୍ୟ, ସିବିଏସଇର ଏହି ଘୋଷଣା ଛାତ୍ରଛାତ୍ରୀଙ୍କ ଅନଲାଇନରେ ପରୀକ୍ଷା ବନ୍ଦ ପାଇଁ ଏକ ଲକ୍ଷ ପିଟିସନ ପରେ ଆସିଛି । ଯେଉଁଥିରେ ଛାତ୍ରଛାତ୍ରୀ ବାତିଲ କିମ୍ବା ଅନଲାଇନ୍ ପରୀକ୍ଷା କରିବାକୁ ଦାବି କରିଛନ୍ତି । ଗତ ୨ ଦିନ ହେବ ଟ୍ୱିଟରରେ ମଧ୍ୟ କ୍ୟାନସଲବୋର୍ଡଏକଜାମ୍୨୦୨୧ ଟ୍ରେଣ୍ଡ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.