ସିବିଏସଇ ବଢେଇଲେ ପରୀକ୍ଷା ଓ ଅନ୍ୟାନ୍ୟ ଶୁଳ୍କ, ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ଲାଗି ଫି ୨୪ଗୁଣା ବୃଦ୍ଧି
11/08/2019 at 6:34 PM

ନୂଆଦିଲ୍ଲୀ ୧୧।୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସଇ) ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି(ଏସଟି) ଛାତ୍ରଛାତ୍ରୀଙ୍କ ଲାଗି ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଳ୍କ ୨୪ ଗୁଣା ବୃଦ୍ଧି କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ ମାତ୍ର ୫୦ଟଙ୍କା ଶୁଳ୍କରେ ବୋର୍ଡ ପରୀକ୍ଷା ଦେଇ ପାରୁଥିବା ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ୧ହଜାର ୨ଶହ ଟଙ୍କା ଶୁଳ୍କ ଜମା କରିବାକୁ ପଡିବ। ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶୁଲ୍କକୁ ମଧ୍ୟ ସିବିଏସଇ କର୍ତ୍ତୃପକ୍ଷ ୨ ଗୁଣା କରିଦେଇଛନ୍ତି। ଫଳରେ ୭୫୦ ଟଙ୍କା ବଦଳେ ଏଣିକି ବୋର୍ଡ ପରୀକ୍ଷା ଦେବା ଲାଗି ଛାତ୍ରଛାତ୍ରୀଙ୍କୁ ୧ହଜାର ୫ଶହ ଟଙ୍କା ପୈଠ କରିବାକୁ ହେବ।

ଏହା ଛଡା କର୍ତ୍ତୃପକ୍ଷ ୧୦ମ ଶ୍ରେଣୀ ପରୀକ୍ଷା ପାଇଁ ନବମ ଶ୍ରେଣୀରୁ ଓ ଦ୍ୱାଦଶ ପରୀକ୍ଷା ନିମନ୍ତେ ଏକାଦଶରୁ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗତ ସପ୍ତାହରୁ ଅଧିସୂଚନା ଜାରି ହୋଇଥିବା ବେଳେ ଯେଉଁ ସ୍କୁଲମାନେ ପୁରୁଣା ଶୁଳ୍କ ହାରରେ ଛାତ୍ରଛାତ୍ରୀଙ୍କ ଆଗୁଆ ପଞ୍ଜିକରଣ କରାଇଛନ୍ତି ସେମାନଙ୍କଠାରୁ ବର୍ଦ୍ଧିତ ଶୁଳ୍କ ଅସୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନଙ୍କ ସୂଚନା ଅନୁସାରେ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କୁ ପ୍ରତି ଅତିରିକ୍ତ ବିଷୟ ଲାଗି ଅଧିକ ୩ଶହ ଟଙ୍କା ଶୁଳ୍କ ପୈଠ କରିବାକୁ ହେବ। ତେବେ ପୂର୍ବରୁ ଏଥିପାଇଁ ସେମାନଙ୍କ ଠାରୁ କୌଣସି ଶୁଳ୍କ ଅସୁଲ ହେଉନଥିବା ବେଳେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଅତିରିକ୍ତ ବିଷୟ ଲାଗି ଦେଉଥିବା ୧୫୦ ଟଙ୍କାକୁ ୩ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଶତ ପ୍ରତିଶତ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କ ଲାଗି ଏହି ଶୁଳ୍କ ସମ୍ପୂର୍ଣ୍ଣ ମୁକ୍ତ ବୋଲି ଅଧିକାରୀମାନେ କହିଛନ୍ତି। ସେହିପରି ପଞ୍ଜିକରଣର ଶେଷ ତାରିଖ ପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀ ଶୁଳ୍କ ପୈଠ କରିବେ ନାହିଁ ସେମାନଙ୍କୁ ଆସନ୍ତା ୨୦୧୯-୨୦ ବାର୍ଷିକ ବୋର୍ଡ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ ନାହିଁ।

ଅନ୍ୟପକ୍ଷରେ ସିବିଏସଇ ସ୍ଥାନାନ୍ତରଣ ଶୁଳ୍କ (ମାଇଗ୍ରେସନ ଫି)କୁ ମଧ୍ୟ ବୃଦ୍ଧି କରାଯାଇଛି। ଏପର୍ଯ୍ୟନ୍ତ ମାତ୍ର ୧୫୦ ଟଙ୍କା ଅସୁଲ କରାଯାଉଥିବା ଶୁଳ୍କ ୩୫୦ ଟଙ୍କା ହୋଇଯାଇଛି। ସେହିପରି ସଂଶୋଧନ ଅନୁସାରେ ବିଦେଶରେ ଅବସ୍ଥାପିତ ସିବିଏସଇ ସ୍କୁଲମାନଙ୍କରେ ୫ଟି ବିଷୟରେ ବୋର୍ଡ ପରୀକ୍ଷା ଶୁଳ୍କ ବାବଦେ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପୈଠ କରିବାକୁ ହେବ। ପୂର୍ବରୁ ଏହା ୫ ହଜାର ଟଙ୍କା ଥିଲା। ସେହିପରି ଦ୍ୱାଦଶ ପରୀକ୍ଷାରେ ଅତିରିକ୍ତ ବିଷୟ ପିଛା ଛାତ୍ରଛତ୍ରଛାତ୍ରୀଙ୍କ ଠାରୁ ଆଦାୟ ହେଉଥିବା ୧ ହଜାର ଟଙ୍କା ଶୁଳ୍କକୁ ୨ ହଜାର କରିଦିଆଯାଇଛି।