ରବିବାର ଆରମ୍ଭ ହେବ CBSE ବୋର୍ଡ ପରୀକ୍ଷା ଉତ୍ତରଖାତା ମୂଲ୍ୟାୟନ, ଗାଇଡଲାଇନ ଜାରି

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୯।୫: ଆସନ୍ତା କାଲି ଅର୍ଥାତ ୧୦ ମେ ରବିବାର ଆରମ୍ଭ ହେବ କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ଙ୍କ  ପରିଚାଳିତ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଉତ୍ତରଖାତା ମୂଲ୍ୟାୟନ। ଏଥିପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟଙ୍କ ପ୍ରସ୍ତାବକୁ ଶନିବାର ଗୃହମନ୍ତ୍ରାଳୟଙ୍କ ମଞ୍ଜୁରି ମିଳିଛି। ଏଥିଲାଗି ଗୃହମନ୍ତ୍ରାଳୟଙ୍କ ମାର୍ଗ ଦର୍ଶନ ଅନୁସାରେ ଛାତ୍ରଛାତ୍ରୀଙ୍କ ଉତ୍ତରଖାତା ମୂଲ୍ୟାୟନ ହେବ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଲକଡାଉନ୍‌ ନିୟମ ଅନୁସାରେ ଶିକ୍ଷକମାନେ ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ଏଥିପାଇଁ ଶିକ୍ଷକମାନଙ୍କୁ ମୂଲ୍ୟାୟନ କେନ୍ଦ୍ରକୁ ଯିବାକୁ ପଡିବ ନାହିଁ।  ସେମାନେ ଘରେ ରହି ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ଏଥିଲାଗି ସିବିଏସଇ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଚଳିତବର୍ଷ ୧.୫ କୋଟିରୁ ବି ଅଧିକ ଉତ୍ତର ଖାତାର ମୂଲ୍ୟାୟନ ହେବ।

{"id":267336,"sizeSlug":"large"}

ସିବିଏସଇଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଉତ୍ତର ପୁସ୍ତିକାକୁ ୩ହଜାରରୁ ଅଧିକ ମନୋନୀତ ସ୍କୁଲର ଯୋଗ୍ୟ ଶିକ୍ଷକଙ୍କ ଦ୍ୱାରା ଦେଖାଯିବ। ଏଥିଲାଗି ଉତ୍ତରପୁସ୍ତିକା ଗୁଡିକୁ ସମ୍ବଦ୍ଧିତ ଶିକ୍ଷକମାନଙ୍କ ଘରକୁ ପହଞ୍ଚାଇ ଦିଆଯିବ। ବୋର୍ଡ ପରୀକ୍ଷା ଖାତା ଦେଖା ପ୍ରକ୍ରିୟା ୫୦ ଦିନରେ ପୂର୍ଣ୍ଣ କରିବାକୁ  ଉଦ୍ୟମ ଆରମ୍ଭ ହୋଇଛି।  ଯାହା ଉପରେ ଏବେ ୧୦ମ ଶ୍ରେଣୀର ୧୦ ଲକ୍ଷ ଛାତ୍ରଛାତ୍ରୀ ଓ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା  ୧୨ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଭର କରୁଛି।

ସିବିଏସଇ କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡି ବାକି ସବୁ ଅଞ୍ଚଳରେ ପରୀକ୍ଷା ଖାତା ମୂଲ୍ୟାୟନ ହୋଇ ପାରିବ ବୋଲି କହିଛନ୍ତି। ଏ ନେଇ ସିବିଏସଇ ପକ୍ଷରୁ ଏକ ସର୍କୁଲାର ଜାରି ହୋଇଥିବା ବେଳେ ନୋଡାଲ ଅଫିସର  ପ୍ରତିଟି ଆନସର ସିଟ୍ ଲାଗି ଉତ୍ତରଦାୟୀ ରହିବେ ବୋଲି କୁହାଯାଇଛି। ପ୍ରତି ନୋଡାଲ ଅଫିସରଙ୍କ ଉପରେ ୨୦୦ ଆନସର ସିଟ୍‌ର ଦାୟିତ୍ୱ ରହିବ। ଶିକ୍ଷକମାନଙ୍କ ଘରୁ ଆନସର ସିଟ୍ ପରିବହନ ଦାୟିତ୍ୱ ମଧ୍ୟ ସେମାନଙ୍କ ଉପରେ ନ୍ୟସ୍ତ ରହିଛି।  କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେସ ପୋଖରିଆଲ ନିଶଙ୍କ ମୂଲ୍ୟାୟନର ନିରପେକ୍ଷତା ନେଇ ଆଶା ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.