ପୁଣି ସିବିଆଇ ଜେରାର ସମ୍ମୁଖୀନ ହେବେ ସୁଶାନ୍ତଙ୍କ ପରିବାର, ଏଥର ଧାରା ୩୦୬ ଆଧାରରେ ହେବ ପଚରାଉଚରା

Published By : Prameya-News7 Bureau | September 28, 2020 IST

ମୁମ୍ବାଇ ୨୮।୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ । ପୁଣି ଥରେ ସୁଶାନ୍ତଙ୍କ ପରିବାରଲୋକଙ୍କୁ ଜେରା ହେବ ବୋଲି ଶୁଣିବାକୁ ମିଳୁଛି । ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁଙ୍କୁ ପଚରାଉଚରା କରାଯିବ । ଏହା ପୂର୍ବରୁ ମଧ୍ୟ ପ୍ରିୟଙ୍କା ଏବଂ ମିତୁଙ୍କୁ ପଚରାଉଚରା କରାଯାଇସାରିଛି । ଏହାସହ ସୁଶାନ୍ତଙ୍କ ଭିଣୋଇ ଆଇପିଏସ ଓପ.ପି. ସିଂହଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ । ରାମ ମନୋହର ଲୋହିୟା ହସ୍ପିଟାଲର ଡକ୍ଟର ତରୁଣଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରାଉଚରା କରିବ । ଏମାନଙ୍କୁ ଧାରା ୩୦୬ (ଆତ୍ମହତ୍ୟା ପାଇଁ ଉସକାଇବା) ଆଧାରରେ ସିବିଆଇ ଟିମ୍ ପଚରାଉଚରା  କରିବ ।

ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇକୁ ଏପର୍ଯ୍ୟନ୍ତ ହତ୍ୟାର କୌଣସି ପ୍ରମାଣ ମିଳିନାହିଁ । ସିବିଆଇ ଏବେ ଆତ୍ମହତ୍ୟା ଦିଗ ଉପରେ ଗୁରୁତ୍ବ ଦେଉଛି । ଏମିତିରେ ସିବିଆଇ ଏବେ ଏହାର ପ୍ରମାଣ ଖୋଜୁଛି ଯେ, ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ କିଏ ଉସକାଇଥାଇପାରେ ।

ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଏତଲା ଦେଇଥିବା ବେଳେ ସୁଶାନ୍ତଙ୍କ ପରିବାର ପକ୍ଷରୁ ମଧ୍ୟ ଏତଲା ଦିଆଯାଇଥିଲା । ଯାହା ଫଳରେ ଉଭୟଙ୍କୁ ପଚରାଉଚରା କରାଯିବ । ରିୟା ବର୍ତ୍ତମାନ ଡ୍ରଗ୍ସ ଲିଙ୍କ୍ ମାମଲାରେ ଜେଲ୍ ରେ ଅଛନ୍ତି । ସୁଶାନ୍ତଙ୍କ ପରିବାର ଲୋକ ରିୟାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ଆଣିଥିବା ବେଳେ ରିୟା ମଧ୍ୟ ସମାନ ଅଭିଯୋଗ ସୁଶାନ୍ତଙ୍କ ପରିବାର ବିରୋଧରେ ଆଣିଛନ୍ତି ।

ସିବିଆଇ ପ୍ରଥମେ ଏହି ମାମଲାରେ ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ପଚରାଉଚରା କରିଥିଲା । ସିଦ୍ଧାର୍ଥ ପିଠାନୀ ସୁଶାନ୍ତଙ୍କ ପରିବାର ବିରୋଧରେ ରିୟାଙ୍କୁ ଫସାଇବାକୁ ନେଇ ବୟାନ ଦେବାର ଅଭିଯୋଗ ଆଣିଥିଲେ । ଅନ୍ୟପଟେ ରିୟା ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ଔଷଧ ଦେବାର ଅଭିଯୋଗ ମଧ୍ୟ ଆଣିଥିଲେ । ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ନୋମିନି ତାଙ୍କ ଭଉଣୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.