ପୋଲିସ କମିଶନରଙ୍କୁ ଭେଟିଲେ CBIର ୨ ଅଧିକାରୀ, ବିବନ ବିଶ୍ବାଳ ଗିରଫ ପରେ ଆଗକୁ କ’ଣ ?
23/02/2021 at 2:12 PM

ଭୁବନେଶ୍ବର ୨୩।୨: ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଧରାପଡିବା ପରେ ଘଟଣାର ତଦନ୍ତ କରୁଥିବା ସିବିଆଇ ତତ୍ପରତା ଦେଖାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆସି ଭେଟିଛନ୍ତି ସିବିଆଇର ୨ ଅଧିକାରୀ । ତଦନ୍ତର ଅଗ୍ରଗତି ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି ଉଭୟ ଅଧିକାରୀ । ଏହି ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଥିବା ସିବିଆଇ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସିବିଆଇ ଟିମ୍ ଆଗକୁ କଣ ପଦକ୍ଷେପ ନେବ ସେ ନେଇ ଆଲୋଚନା କରିଛନ୍ତି ସିବିଆଇର ଦୁଇ ଅଧିକାରୀ ।
ସିବିଆଇ ଆଖିରେ ଧୂଳି ଦେଇ ୨୨ ବର୍ଷ ଧରି ବୁଲୁଥିବା ବିବନ । କମିଶନରେଟ୍ ପୋଲିସ ମାଡିବସିଲା । ବହୁ ଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ପାଇଁ ଦିନେ ରାଜ୍ୟର ରାଜନୀତି ହୁଲସ୍ତୁଲ ହୋଇଥିଲା । ବିବନକୁ ପୁନେରୁ ଗିରଫ କରିଛି କମିଶନରେଟ୍ ପୋଲିସ । ସିବିଆଇ ଆଖିରେ ଧୁଳିଦେଇ ପୁନେରେ ଲୁଚିଥିଲା । ସବୁ ନାଁ ଗାଁ ଠିକଣା ବଦଳେଇ ଦେଇଥିଲା । ଜଳନ୍ଧର ସ୍ବାଇଁ ନାଁରେ ପୁନେରେ ରହୁଥିଲା ବିବନ । ମହାରାଷ୍ଟ୍ର ପୋଲିସ ସହାୟତାରେ କମିଶନରେଟ୍ ପୋଲିସ ବିବନକୁ ଗିରଫ କରିଛି । ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ୧୯୯୯ ଜାନୁଆରୀ ୨୬ରେ ଗିରଫ ହୋଇଥିଲେ । ତେବେ ସେହିଦିନଠାରୁ ଫେରାର ଥିଲା ବିବନ।
ନାଁ ବଦଳାଇ ରହୁଥିବା ବିବନକୁ ଧରିବା ପାଇଁ କମିଶନରେଟ୍ ପୋଲିସ ଗଢିଥିଲା ସ୍ବତନ୍ତ୍ର ଟିମ୍ । ଏହି ଅପରେସନର ନାଁ ଦିଆଯାଇଥିଲା ‘ସାଇଲେଣ୍ଟ ଭାଇପର’ । ୩ ମାସ ପୂର୍ବରୁ ଏଥିପାଇଁ ଜାଲ ବିଛାଇଥିଲା କମିଶନରେଟ ପୋଲିସ । ପୋଲିସ କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା । ୩ ମାସ ତଳେ ଚୌଦ୍ବାର ଜେଲରେ ଥିବା ଅପରାଧୀ ଧିରେନ୍ଦ୍ରକୁ ଭେଟିଥିଲେ କମିଶନର । ବିବନକୁ ସହଯୋଗୀମାନେ ବିକେ ବା ବାରଙ୍ଗ କିଙ୍ଗ୍ ବୋଲି ଡାକୁଥିବା ପୋଲିସ ଜାଣିବାକୁ ପାଇଥିଲା। ମଝିରେ ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା ।
ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କରିଥିଲା ପୋଲିସ । ଜଣାପଡ଼ିଥିଲା ନାଁ ବଦଳାଇ ବିବନ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ବାଇଁ ନାଁରେ ରହୁଛି। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରିଥିଲା । ଭୋଟର ପରିଚୟ ପତ୍ର, ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍ବୁକ୍ ବି ଜଳନ୍ଧର ସ୍ବାଇଁ ନାଁରେ କରିଥିଲା । କେବଳ ସେତିକି ନୁହେଁ ବିବନ ବିଶ୍ବାଳ ମରିଯାଇଥିବା ନେଇ ମୃତ୍ୟୁ ପ୍ରମାଣପତ୍ର ଯୋଗାଡ କରିବାରେ ସେ କୁଆଡ଼େ ଲାଗିଥିଲା । ପୋଲିସ କିନ୍ତୁ ଟ୍ରାକ୍ କରି ପହଞ୍ଚିଥିଲା ବିବନ ଓରଫ ଜଳନ୍ଧର ପାଖରେ। ପୋଲିସକୁ ଦେଖି ସେଠିବି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା କିନ୍ତୁ ୨୨ ବର୍ଷର ଖେଳ ସରିଯାଇଥିଲା।