ସିବିଆଇ ଅଫିସରଙ୍କୁ ସସପେଣ୍ଡ୍ କଲା ନିଜେ CBI, ଗୁପ୍ତ ତଥ୍ୟ ଲିକ୍ କରି ନେଇଥିଲେ ମୋଟା ଅଙ୍କର ଲାଞ୍ଚ

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ ୧୬/୦୧ : ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ନିଜ ହିଁ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ । ଦୋଷୀଙ୍କୁ ସାହାଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଜଣେ ଇନସପେକ୍ଟର ଏବଂ ଷ୍ଟେନୋଗ୍ରାଫରଙ୍କୁ ସିବିଆଇ ନିଲମ୍ବିତ କରିଛି । ଏହା ସହ ଘଟଣାରେ ସଂପୃକ୍ତ ୨ ଜଣ ଡିଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି ।

୨ ଦିନ ପୂର୍ବରୁ ଏହି ମାମଲାରେ ସଂପୃକ୍ତ ଅଭିଯୋଗରେ ବିଭାଗର ୪ ଜଣ ଅଧିକାରୀ, କର୍ମଚାରୀଙ୍କ ସମେତ କିଛି ଘରୋଇ କମ୍ପାନୀକୁ ମିଶାଇ ମୋଟ ୧୪ ସ୍ଥାନରେ ଚଢଉ କରିଥିଲା ସିବିଆଇ । ସିବିଆଇର ଜଣେ ଅଧିକାରୀ କହିଛନ୍ତି, ନିଲମ୍ବିତ ହୋଇଥିବା ଅଧିକାରୀ, ୨୦୧୮  ମସିହାରେ ହୋଇଥିବା ଏକ ବ୍ୟାଙ୍କ ଠକେଇ ମାମଲାରେ ଜଡିତ କମ୍ପାନୀକୁ ସିବିଆଇର ଗୁପ୍ତ ତଥ୍ୟ ଲିକ୍‌ କରିଥିଲେ । ଏହି ତଥ୍ୟ ଦେବା ପାଇଁ ଉକ୍ତ କମ୍ପାନୀ ଠାରୁ ମୋଟା ଅଙ୍କର ଲାଞ୍ଚ ମଧ୍ୟ ନେଉଥିଲେ । ଲକ୍ଷେ କି ୨ ଲକ୍ଷ ନୁହେଁ ସିବିଆଇର ଏହିୁ ଦୁଇ ଅଧିକାରୀ ଆରକେ ଋଷି ୩୦ ଲକ୍ଷ ଟଙ୍କା ଏବଂ ଇନସପେକ୍ଟର କପିଳ ଧନଖଡ ୨୫ ଲକ୍ଷ ଟଙ୍କା ଲାଞ୍ଚ ଆକାରରେ ନେଇଥିଲେ ।

ଗାଜିଆବାଦରେ ସିବିଆଇ ଏକାଡେମୀରେ କାର୍ଯ୍ୟରତ ଡିଏସପି ଆର.କେ ଋଷିଙ୍କ ସମେତ ସିବିଆଇ ଏହି  ରାକେଟ ସହିତ ଜଡିତ ୯ ଜଣଙ୍କ ବିରୋଧରେ ଏଫଆଇଆର ରୁକୁ କରିଛି।  ଇନ୍ସପେକ୍ଟର କପିଳ ଧନଖଡ ବ୍ୟାଙ୍କ ସିକ୍ୟୁରିଟି ଆଣ୍ଡ ଫ୍ରଡ ସେଲରେ କାର୍ଯ୍ୟରତ ଥିଲେ ।ଏହା ସହ ଡିଏସପି ଆର.କେ ସାଙ୍ଗୱାନ ସ୍ପେଶାଲ କ୍ରାଇମ ୟୁନିଟ୍, ବ୍ୟାଙ୍କ ସିକ୍ୟୁରିଟି ଏବଂ ଫ୍ରଡ୍ ସେଲରେ ନିଯୁକ୍ତ ଥିଲେ । ଷ୍ଟେନୋଗ୍ରାଫର ସମୀର କୁମାର ସିଂଙ୍କ ସମେତ ୨ ଓକିଲ ଅରବିନ୍ଦ କୁମାର ଗୁପ୍ତା, ମନୋହର ମାଲିକ୍‌ଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ସିବିଆଇ କହିବା ଅନୁଯାୟୀ, ଇନ୍ସପେକ୍ଟର ଏବଂ ଷ୍ଟେନୋଗ୍ରାଫରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିବିଆଇ ଅଧିକାରୀମାନେ ସକ୍ଷମ ଥିଲେ। ତେଣୁ ସିବିଆଇ ପ୍ରଶାସନ ନିଜ ସ୍ତର ଅନୁଯାୟୀ ପଦକ୍ଷେପ ନେଇଛି, ୨ ଡିଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମନ୍ତ୍ରଳୟ ହିଁ ଗ୍ରହଣ କରିପାରିବ । ମନ୍ତ୍ରାଳୟ ଖୁବ ଶୀଘ୍ର ଏହି ଉଭୟ ଡିଏସପିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.