କାର୍ତ୍ତି ଚିଦାମ୍ବରମ ସମେତ ୫ ଜଣଙ୍କ ବିରୋଧରେ FIR ରୁଜୁ, ଲାଞ୍ଚ ନେଇ ଚୀନ ନାଗରିକଙ୍କୁ ଯୋଗାଉଥିଲେ ଭିସା !

Published By : Prameya-News7 Bureau | May 17, 2022 IST

ନୂଆଦିଲ୍ଲୀ: ସିବିଆଇ ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଚୀନ କମ୍ପାନୀରେ କାର୍ଯ୍ୟରତ ଚୀନ ନାଗରିକଙ୍କୁ ଅବୈଧ ଭିସା ଯୋଗାଇ ଦେବା ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଅନୁଯାୟୀ, ଚୀନ କମ୍ପାନୀରେ କାର୍ଯ୍ୟରତ ଚୀନ ନାଗରିକଙ୍କଠୁ  ଲାଞ୍ଚ ନେଇ ଗୃହ ମନ୍ତ୍ରଣାଳୟ ଦ୍ଵାରା ନିର୍ଦ୍ଧାରିତ ସୀମାଠୁ ଅଧିକ ଲୋକଙ୍କୁ ପ୍ରୋଜେକ୍ଟ ଭିସା ଉପଲବ୍ଧ କରାଉଥିଲେ। ଏହି ସବୁ ଘଟଣା ଚିଦାମ୍ବରମ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ଘଟିଥିଲା। ଅର୍ଥାତ ପିତାଙ୍କ ପଦର ଦୁରୁପଯୋଗ କରି କାର୍ତ୍ତି ଚିଦାମ୍ବରମ ଚୀନ ନାଗରିକଙ୍କଠୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିସା ଯୋଗାଉଥିଲେ।

ଏଏନଆଇ ଖବର ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରେ ଅନ୍ୟ  ଚାରି ଜଣ ହେଉଛନ୍ତି କାର୍ତ୍ତି ଚିଦାମ୍ବରମଙ୍କ ନିକଟ ସହଯୋଗୀ ଏସ ଭାସ୍କରରମନ, ପଞ୍ଜାବର ମନସା ସ୍ଥିତ ଘରୋଇ କମ୍ପାନୀର ପ୍ରତିନିଧି ବିକାଶ ମଖାଡିଆ, ମନସାରେ ମେସର୍ସ ତଲବଣ୍ଡି ସାବୋ ପାଓ୍ଵାର ଲିମିଟେଡ୍‌ର ପ୍ରତିନିଧି, ମେସର୍ସ ବେଲ୍ ଟ୍ରୁଲ୍ସ ଲିମିଟେଡ୍ ମୁମ୍ବାଇ ଜଣେ ବ୍ୟକ୍ତି। ସିବିଆଇ ଅନୁଯାୟୀ, କାର୍ତ୍ତି ଚିଦାମ୍ବରମ ନିଜ ସହଯୋଗୀଙ୍କ ସହ ମିଶି ପଞ୍ଜାବରେ ବିଜୁଳି କମ୍ପାନୀ ପାଇଁ କାମ କରୁଥିବା ୨୬୩ ଚୀନ ନାଗରିକଙ୍କୁ ଭିସା ଦେବାରେ ସାହାଯ୍ୟ କରିଥିଲେ। ଅଧିକାରୀ କହିଛନ୍ତି, କାର୍ତ୍ତିଙ୍କ ଉପରେ ୨୦୧୧ରେ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୀନ ନାଗରିକଙ୍କୁ ଭିସା ଦେବାର ଅଭିଯୋଗ ହୋଇଛି। ସେହି ସମୟରେ କାର୍ତ୍ତିଙ୍କ ପିତା ପି ଚିଦାମ୍ବରମ ଦେଶର ଗୃହ ମନ୍ତ୍ରୀ ଥିଲେ।

ଅଧିକାରୀଙ୍କ ଅନୁଯାୟୀ, ଏଫଆଇଆର ରୁଜୁ ପରେ ଆଜି ସକାଳେ ସିବିଆଇ ଦଳ ଦିଲ୍ଲୀ ଏବଂ ଚେନ୍ନାଇରେ ଚିଦାମ୍ଵରମଙ୍କ ବାପା-ପୁଅଙ୍କ ବାସଭବନ ସମେତ ଦେଶର ଅନେକ ସହରରେ ୧୦ ଠିକଣାରେ ଏକ ସଙ୍ଗେ ଚଢାଉ କରିଛି। ସିବିଆଇ ଭାସ୍କରରମନଙ୍କ କମ୍ପ୍ୟୁଟରର ହାର୍ଡ ଡ୍ରାଇଭରୁ ୫୦ ଲକ୍ଷ  ଟଙ୍କାର ସନ୍ଦିଗ୍ଧ ନେଣଦେଣର କିଛି ଦସ୍ତାବିଜ ପାଇଥିଲା। ଏହାରି ଆଧାରରେ ଏଜେନ୍ସି ଏଫଆଇଆର ରୁଜୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.