କୋଇଲା ରାକେଟ୍ : ଦେଶର ୪୫ଟି ସ୍ଥାନରେ ସିବିଆଇ ଚଢାଉ, ହାଇପ୍ରୋଫାଇଲ ରାକେଟରେ ନେତା-ଅଫିସର

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮/୧୧ : ଦେଶରେ ସକ୍ରିୟ ହୋଇ ଉଠିଛି ସିବିଆଇ । ଗୋଟିଏ ଦିନରେ ପ୍ରାୟ ୪୫ଟି ସ୍ଥାନରେ ଚଢାଉ କରିଛି । ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର ଏବଂ ଉତ୍ତରପ୍ରଦେଶରେ ଏହି ଚଢାଇ କରିଛି ସିବିଆଇ । ଇଷ୍ଟର୍ଣ୍ଣ କୋଲଫିଲ୍ଡ୍ ଲିମିଟେଡ ମାଇନ୍ସରେ କୋଲ ମାଫିଆମାନଙ୍କ ଦ୍ବାରା ବେଆଇନ ଖନନ ଏବଂ କୋଇଲା ଚୋରି ଅଭିଯୋଗ ହୋଇଥିଲା । ତେବେ ଏହାକୁ ଆଧାର କରି ସିବିଆଇ ଇଷ୍ଟର୍ଣ୍ଣ କୋଲଫିଲଡ୍ ମୁଖ୍ୟ ଅଧିକାରୀଙ୍କ, ଦୁଇ ଜଣ ମ୍ୟାନେଜର ଏବଂ ଅନୁପ ମାଝୀ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ସହିତ ସେମାନଙ୍କୁ ସହଯୋଗ କରୁଥିବା କେନ୍ଦ୍ରୀୟ ଉଦ୍ୟୋଗିତ ସୁରକ୍ଷା ବଳ ଏବଂ ଭାରତୀୟ ରେଳ ବିଭାଗର କିଛି କର୍ମଚାରୀଙ୍କୁ ମଧ୍ୟ ଏଥିରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସିବିଆଇ ଦେଶର ମୋଟ ୪୫ ଟି ସ୍ଥାନରେ ଚଢାଉ କରିଥିବା ସୂଚନା ମିଳିଛି ।

କୌଣସି ସୂତ୍ରରୁ ସିବିଆଇ ଜାଣିବାକୁ ପାଇଥିଲା ଯେ ଇଷ୍ଟର୍ଣ୍ଣ କୋଲଫିଲଡ୍ ଲିମିଟେଡର ଦୁଇଟି ମାଇନ୍ସରୁ କୋଇଲା ମାଫିଆମାନେ ବ୍ୟାପକ ପରିମାଣର କୋଇଲା ଚୋରି କରୁଛନ୍ତି । ତେବେ ଏଥିରେ ସହଯୋଗ କରୁଥିଲେ ଇଷ୍ଟର୍ଣ୍ଣ କୋଲଫିଲଡ୍ ଲିମିଟେଡର ଜେନେରାଲ ମ୍ୟାନେଜର ସ୍ତରର ଦୁଇ ଜଣ ଅଧିକାରୀ ଏବଂ ସେଠାକାର ମୁଖ୍ୟ ସୁରକ୍ଷା ଅଧିକାରୀ । ସିବିଆଇ ଏହା ମଧ୍ୟ ଜାଣିବାକୁ ପାଇଥିଲା ଯେ ଏହି କୋଲ ମାଫିଆ ରାକେଟରେ କେନ୍ଦ୍ରୀୟ ଉଦ୍ୟୋଗିତ ସୁରକ୍ଷା ବଳର କିଛି କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । କେବଳ ସେତିକି ନୁହେଁ କୋଇଲାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବା ପାଇଁ ଭାରତୀୟ ରେଳ ବିଭାଗର କିଛି କର୍ମଚାରୀ ମଧ୍ୟ ସାମିଲ ଥିବା ସିବିଆଇ ସୂଚନା ଦେଇଛି ।

ମିଳିଥିବା ସୂଚନା ଅନୁସାରେ, ସିବିଆଇ ମକଦ୍ଦମା ରୁଜୁ କରିବା ସହିତ ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର ଏବଂ ଉତ୍ତରପ୍ରଦେଶରେ ଦୋଷୀମାନେ କାରବାର କରୁଥିବା ପ୍ରାୟ ୪୫ଟି ସ୍ଥାନରେ ଚଢାଉ କରିଛି । ତେବେ ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜବତ ହୋଇଥିବା ସୂଚନା ଦେଇଛି ସିବିଆଇ । ବରିଷ୍ଠ ସରକାରୀ ଅଧିକାରୀ ଏବଂ ମାଫିଆମାନଙ୍କ ମିଲିଭଗତରେ ଏହି ସବୁ କାରବାର ହେଉଥିବା ସିବିଆଇ ସୂଚନା ଦେବା ସହିତ ଗୋଟିଏ ବଡ କୋଇଲା ଚୋରି ରାକେଟର ପର୍ଦ୍ଦାଫାସ୍ ହେବ ବୋଲି ସୂଚନା ଦେଇଛି । ତେବେ ଏଥିରେ କିଛି ରାଜନେତା ମଧ୍ୟ ସାମିଲ ଥିବା ଜାଣିବାକୁ ପାଇଛି ସିବିଆଇ । ସେମାନଙ୍କୁ ମଧ୍ୟ ସାମ୍ନାକୁ ଅଣାଯିବା ସହିତ ପୁରାଘଟଣାର ଯାଞ୍ଚ ହେବ ବୋଲି ସିବିଆଇ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.