‘ଜେଡ୍’ ସୁରକ୍ଷାରେ ମିଳିଥିବା ବୁଲେଟ୍ ପ୍ରୁଫ କାର ଫେରାଇ ଦେଲେ ସିବିଆଇ ଜଜ୍

Published By : Prameya-News7 Bureau | July 04, 2020 IST

ଚଣ୍ଡିଗଡ ୪।୭:  ସିବିଆଇ ଜଜ୍ ଜଗଦୀପ ସିଂହଙ୍କୁ ଜେଡ୍ ସୁରକ୍ଷାରେ ମିଳିଥିବା ବୁଲେଟ୍‌ ପ୍ରୁଫ କାରକୁ ସେ ଫେରାଇ ଦେଇଛନ୍ତି। ଜଷ୍ଟିସ୍ ସିଂହ ଡେରା ସଚ୍ଚା ସୌଦା ମୁଖିଆ ରାମ ରହୀମକୁ ଦୋଷୀ ସାବ୍ୟସ୍ତ କରିବା ସହ ଜେଲକୁ ପଠାଇଥିଲେ। ଏଣୁ ବିଚାର ଲାଗି ଡେରା ଅନୁଗାମୀ ହୁଏତ ବିଚାରପତିଙ୍କ ଉପରେ ଆକ୍ରମଣ କରିପାରନ୍ତି ସେହି ଆଶଙ୍କାରେ ତାଙ୍କୁ ସରକାରଙ୍କ ପକ୍ଷରୁ  ଜେଡ୍ ସୁରକ୍ଷା ଯୋଗା ଯାଇଥିବା ବେଳେ ଏଥିରେ ଏକ ବୁଲେଟ୍‌ ପ୍ରୁଫ ଟାଟା ସଫାରି କାର ମଧ୍ୟ ଦିଆଯାଇଥିଲା।  

ତେବେ ଏହି କାରଟି ଅଧିକ ଓଜନ ଯୋଗୁ ଦ୍ରୁତ ବେଗରେ ଯାଇ ପାରୁନଥିଲା। ଏଣୁ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଯାଉଥିବା ବୁଲେଟ୍ ପ୍ରୁଫ କାର ସୁରକ୍ଷା ଦଳଙ୍କ ସହ ତାଳ ମିଳାଇ ପାରୁନଥିଲା। ଏଥିରେ ଗାଡିଟି ରାସ୍ତାରେ ଖରାପ ହେବାରୁ ଜଜ୍ ସୁରକ୍ଷା ଲାଗି ମିଳିଥିବା ସରକାରୀ ଗାଡି ସହ ଚାଳକକୁ ଫେରାଇ ଦେଇଛନ୍ତି। 

ତେବେ ଡେରା ସଚ୍ଚା ସୌଦା ମାମଲାରେ କେବଳ ଜଜ୍‌ ନୁହଁନ୍ତି କୋର୍ଟରେ ସାକ୍ଷ ହୋଇଥିବା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବି.ଏସ୍‌. ସାନ୍ଧୁ ଓ ଅନ୍ୟମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ତେବେ ରାମ ରହୀମ ଜେଲରୁ ଜାମିନରେ ମୁକୁଳିଥିବା ବେଳେ ସାକ୍ଷ ଅଥବା ଜଜ୍‌ଙ୍କ ବିରୋଧରେ ତାଙ୍କର କେହି ଅନୁଗାମୀ ହିଂସା ଆଚରଣ କରିଥିବାର ନଜିର ନାହିଁ। ଏଣୁ ଜଜ୍‌ ଏଭଳି ସୁରକ୍ଷାର ଏବେ ଆବଶ୍ୟକ କରୁନଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.