ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ବଡ ଝଟକା : ୧୦୦ କୋଟି ଚାନ୍ଦା ମାମଲାରେ ତଦନ୍ତ କରିବ ସିବିଆଇ, ନିର୍ଦ୍ଦେଶ ଦେଲେ ବମ୍ବେ ହାଇକୋର୍ଟ

Published By : Prameya-News7 Bureau | April 05, 2021 IST

ମୁମ୍ବାଇ,୦୫/୦୪:   ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଆସିଥିବା ମାମଲାର ତଦନ୍ତ କରିବ ସିବିଆଇ । ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ୧୦୦ କୋଟି ଟଙ୍କାର ଚାନ୍ଦା ଆଦାୟ ମାମଲାରେ ତଦନ୍ତ ଏବେ ସିବିଆଇ କରିବ । ତେବେ ସିବିଆଇ ତୁରନ୍ତ ଏହି ମାମଲାରେ ମୋକଦ୍ଦମା ରୁଜୁ କରିବ ନାହିଁ ।

ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଏଫଆଇଆର ହୋଇଛି । ପୋଲିସ ତଦନ୍ତ ପାଇଁ ଆବେଦନ କରାଯାଇଥିଲା । ଅନିଲ ଦେଶମୁଖ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ । ଫଳରେ ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ତେଣୁ ସିବିଆଇ ଏହି ମାମଲାର ତଦନ୍ତ କରିବା ଆବଶ୍ୟକ ।

କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସିବିଆଇ ପ୍ରାରମ୍ଭିକ ସ୍ତରରୁ ତଦନ୍ତ କରୁ । ଏଥିରେ ସମସ୍ତଙ୍କୁ ସହଯୋଗ କରିବାକୁ ହେବ । ୧୫ ଦିନ ମଧ୍ୟରେ ସିବିଆଇ ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଯଦି ସିବିଆଇ ରିପୋର୍ଟରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଆସେ ତେବେ ଏଜେନ୍ସି ଏଫଆଇଆର ରୁଜୁ କରିବ ।

କଣ ରହିଛି ଅଭିଯୋଗ ?

ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କୁ ବଦଳି କରାଯାଇଥିଲା । ଏହାପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ । ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଅନିଲ ଦେଶମୁଖ ସଚିନ ଓ୍ୱାଜେଙ୍କୁ ମୁମ୍ବାଇରୁ କୋଟି କୋଟି ଟଙ୍କା ଆଦାୟ କରିବାକୁ ଟାର୍ଗେଟ ଦେଇଥିଲେ । ଏହା ବ୍ୟତୀତ ମଧ୍ୟ ସେ ଅନିଲଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଲଗାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.