ଅନିଲ ଦେଶମୁଖଙ୍କ ବିରୋଧରେ ଏଫଆଇଆର, ବାସଭବନ ସମେତ ଅନେକ ସ୍ଥାନରେ ଚାଲିଛି ଚଢଉ

Published By : Prameya-News7 Bureau | April 24, 2021 IST

ମୁମ୍ବାଇ,୨୪/୦୪  : ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଏଫଆଇଆର ଦାଖଲ କରିଛି । ଦେଶମୁଖଙ୍କ ବ୍ୟତୀତ ଅନେକ ଅଜମା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ପୂର୍ବତନ କମିଶନର ପରମବୀର ସିଂଙ୍କ ଅଭିଯୋଗ ଆଧାରରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ସିବିଆଇ ଅନେକ ସ୍ଥାନରେ ଚଢଉ କରି ତଲାସୀ ଅଭିଯାନ ଜୋରଦାର କରିଛି । ଏଥିରେ ଦେଶମୁଖଙ୍କ ଘର ମଧ୍ୟ ସାମିଲ ଅଛି ।

ସୂଚନାନୁସାରେ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଅଭିଯୋଗ କରିବା ପରେ ଦେଶମୁଖ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ପରମବୀର ସିଂ ଏକ ଚିଠି ଲେଖି ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କା ବଟି ଆଣିବା ବାବଦରେ ଅଭିଯୋଗ କରିଥିଲେ । ପରମବୀର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଇଥିବା ଚିଠିରେ ଲେଖିଥିଲେ ଯେ,ଅନିଲ ଦେଶମୁଖ ନିଜ ବାସଭବନରେ ସଚିନ ଓ୍ୱାଜେଙ୍କୁ ଭେଟୁଥିଲେ । ଏହାସହ ପ୍ରତି ମାସରେ ମୁମ୍ବାଇରୁ ୧୦୦ କୋଟି ଚାନ୍ଦା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ପ୍ରସଙ୍ଗରେ ପରମବୀର ସିଂ ହାଇକୋର୍ଟରେ ଆବେଦନ କରିଥିଲେ । ଏହାପରେ ହାଇକୋର୍ଟ ସିବିଆଇକୁ ମାମଲାର ତଦନ୍ତ କରିବାକୁ କହିଥିଲା । କୋର୍ଟ କହିଥିଲେ ଯେ, ସିବିଆଇ ୧୫ ଦିନର ରିପୋର୍ଟ ଦେବ ଯେଉଁଥିରେ ଦେଶମୁଖଙ୍କ ବିରୋଧରେ ଏଫଆଇଆର ହେବ ନା ନାହିଁ ସେନେଇ ନିଷ୍ପତ୍ତି ନିଆଯିବ । ଏହି ମାମଲା ପରେ ଅନିଲ ଦେଶମୁଖ ବିରୋଧୀଙ୍କ ଟାର୍ଗେଟରେ ଆସିଥିଲେ । ତେବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଅନିଲଙ୍କ ପାଇଁ ବାହାରିବା ସହ ଏହା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.