ସୁଶାନ୍ତ କେସ୍‌ରେ ଯାଞ୍ଚ ଜୋରଦାର କଲା ସିବିଆଇ, ସୋମବାର ରିୟା ଚକ୍ରବର୍ତ୍ତୀଙ୍କୁ କରାଯାଇପାରେ ଜେରା

Published By : Prameya-News7 Bureau | August 23, 2020 IST

ମୁମ୍ବାଇ ୨୩।୦୮: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିଜର ତଦନ୍ତ ଜୋରଦାର କରିଛି। ସୁଶାନ୍ତଙ୍କ ରୋଷେୟା, ବନ୍ଧୁ, ଘର ମାଲିକଙ୍କୁ ଜେରା କରିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ। ରିୟାଙ୍କୁ ସିବିଆଇ ସମନ ପଠାଇ ଜେରା ପାଇଁ ଡକାଇପାରେ। ଖବର ଏହା ମଧ୍ୟ ରହିଛି ସିବିଆଇ ସୋମବାର ଅର୍ଥାତ ଆସନ୍ତାକାଲି ରିୟାଙ୍କୁ ଜେରା କରିପାରେ। ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଅନେକ ପ୍ରକାରର ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ବାପାଙ୍କ ପକ୍ଷରୁ ରୁଜୁ ଏଫଆଇଆରରେ ରିୟାଙ୍କ ଉପରେ ବ୍ଲାକମେଲିଂଠୁ ନେଇ ସୁଶାନ୍ତଙ୍କୁ ଧୋକା ଦେବା ପର୍ଯ୍ୟନ୍ତ ଆରୋପ ଲାଗିଛି।

ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ପୁଅକୁ ସେ ଅଲଗା କରିବାକୁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ଲଗାଇଛନ୍ତି। ଏହି ସବୁ ଦିଗକୁ ଧ୍ୟାନରେ ରଖି ସିବିଆଇ ସୋମବାର ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ। ସିବିଆଇ ରିୟାଙ୍କ ଆୟର ଉତ୍ସକୁ ନେଇ ମଧ୍ୟ ଜେରା କରିପାରେ। ଏହା ପୂର୍ବରୁ ମଧ୍ୟ ମନି ଲଣ୍ଡ୍ରିଂ କେସ୍‌ରେ ରିୟା ଓ ତାଙ୍କ ପରିବାରକୁ ଜେରା କରି ସାରିଛି।

ରିୟାଙ୍କୁ କେବଳ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ କାରଣରୁ ନୁହେଁ ବରଂ ମହେଶ ଭଟ୍ଟଙ୍କ ସହିତ ଚାଟ୍‌ ପାଇଁ ମଧ୍ୟ ସନ୍ଦେହ ଘେରରେ ଅଛନ୍ତି। ସାମାଜିକ ଗଣମାଧ୍ୟମରେ ରିୟାଙ୍କ ମହେଶ ଭଟ୍ଟଙ୍କ ସହିତ ହୋଇଥିବା ଚାଟ୍‌ର ସ୍କ୍ରିନ ସଟ୍‌ ଭାଇରାଲ ହୋଇଛି। ଭାଇରାଲ  ଚାଟ୍‌ରୁ ଖୁଲାସା ହୋଇଛି ଯେ, ରିୟା ନିଜେ ସୁଶାନ୍ତଙ୍କୁ ଛାଡି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.