ବାବ୍ରି ମସଜିଦ୍ ଧ୍ଵଂସ ମାମଲା: ଜୁନ ୪ରେ ଆଡଭାନୀ, ଯୋଶୀ, ଉମା ଭାରତୀଙ୍କ ବୟାନ ରେକର୍ଡ

Published By : Prameya-News7 Bureau | May 28, 2020 IST

ଲକ୍ଷ୍ନୌ ୨୮।୦୫: ବାବ୍ରି ମସଜିଦ୍‌ ମାମଲାରେ ସିବିଆଇ ଅଦାଲତ ଜୁନ ୪ରେ ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ସମେତ ସମସ୍ତ ୩୨ ଆରୋପୀଙ୍କ ବୟାନ ରେକର୍ଡ କରିବ। ଏହା ପୂର୍ବରୁ ସ୍ଵତନ୍ତ୍ର ଅଦାଲତ ମେ ୧୮ରେ ସିବିଆଇକୁ କିଛି ନିର୍ଦ୍ଦେଶ ଦେଇଥିଲେ। ଏଥିରେ କୁହାଯାଇଥିଲା ଯେ, ବାବ୍ରି ବିବାଦ ମାମଲାରେ ଶୁଣାଣି କରିବା ଉଦ୍ଦେଶ୍ୟରେ ନ୍ୟାୟାଳୟ କକ୍ଷରେ ଭିଡିଓ କନଫରେନ୍ସର ସୁବିଧା ଉପଲବ୍ଧ କରାଇବା ପାଇଁ ଉତ୍ତର ପ୍ରଦେଶର ମୁଖ୍ୟ ସଚିବଙ୍କୁ ଚିଠି ଲେଖା ଯାଇଛି।

ବାବ୍ରି ମସଜିଦ ଭଙ୍ଗା ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ବିଜେପି ନେତା ମୁରଲୀ ମନୋହର ଯୋଶୀ, ବିନୟ କଟିଆର, ଉମା ଭାରତୀ ଓ ବିଶ୍ଵ ହିନ୍ଦୁ ପରିଷଦର ନେତା ଚମ୍ପତ ରାୟ ଆଦି ଅଭିଯୁକ୍ତ ଅଛନ୍ତି। ସ୍ଵତନ୍ତ୍ର ବିଚାରପତି ଏସକେ ଯାଦବ ନିଜର ଆଦେଶରେ କହିଥିଲେ ଯେ, ସୁପ୍ରିମକୋର୍ଟ ଗତ ମେ ୮ରେ ସ୍ଵତନ୍ତ୍ର ନ୍ୟାୟାଳୟକୁ ଭିଡିଓ କନଫରେନ୍ସ ଜରିଆରେ ଏହି ମାମଲା ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ କରୋନା ସଂକ୍ରମଣ କାରଣରୁ ଘୋଷିତ  ଲକ୍‌ଡାଉନ୍‌ରେ ଅଭିଯୁକ୍ତ ଏବଂ ସାକ୍ଷୀଙ୍କୁ ଅଦଲାତରେ ବ୍ୟକ୍ତିଗତ ଭାବେ  ହଜାର କରିବା ମୁସ୍କିଲ ହେବ।

{"id":277494,"sizeSlug":"large"}

ସ୍ଵତନ୍ତ୍ର ସିବିଆଇ ଅଦାଲତ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରି ଉତ୍ତର ପ୍ରଦେଶର ମୁଖ୍ୟ ସଚିବ ଅଦାଲତ କକ୍ଷରେ ଭିଡିଓ କନଫରେନ୍ସିଂ ସୁବିଧା ଯୋଗାଇ ଦିଅନ୍ତୁ। ଏହି କାମ ମେ ୧୪ ସୁଦ୍ଧା ପୂରା କରିବାକୁ କୋର୍ଟ କହିଥିଲେ କିନ୍ତୁ ନିର୍ଦ୍ଧାରିତ ତାରିଖ ସୁଦ୍ଧା କିଛି ମଧ୍ୟ ହୋଇ ନାହିଁ।

ରୁଜୁ ହୋଇଥିଲା ୪୯ ମୋକଦ୍ଦମା

ସବୁଠୁ ବଡ କଥା ସ୍ଵତନ୍ତ୍ର ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ଶୁଣାଣି ଗତ ଏପ୍ରିଲ ୨୦ରେ ପୂରା କରିବାର ଥିଲା, ମାତ୍ର ଲକ୍‌ଡାଉନ୍‌ କାରଣରୁ ଏହା ପୂରା ହୋଇ ପାରି ନାହିଁ। ତେଣୁ ସ୍ଵତନ୍ତ୍ର ଅଦାଲତଙ୍କ ଆବେଦନ କ୍ରମେ ସୁପ୍ରିମକୋର୍ଟ ଶୁଣାଣି କରିବାର ମିଆଦକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ଵତନ୍ତ୍ର ସିବିଆଇ ଅଦାଲତ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରି ସାରିଛନ୍ତି। ଏବେ ଅପରାଧ ପ୍ରକ୍ରିୟା ସଂହିତାର ଧାରା-୩୧୩ ଆଧାରରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯିବ। ଉଲ୍ଲେଖନୀୟ ୧୯୯୨ ଡିସେମ୍ବର ୬ରେ ବାବ୍ରି ମସଜିଦ୍ ଧ୍ଵଂସ ମାମଲାରେ ୪୯ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିଲା। ଯାଞ୍ଚ ପରେ ଏହି ୪୯ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। ଏଥିରୁ ୧୭ ଅଭିଯୁକ୍ତଙ୍କ ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.