ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ : ଦେଶର ସୁରକ୍ଷା ପ୍ରସଂଗରେ ଏବେ ତଦନ୍ତକାରୀ ସଂସ୍ଥା ଯାହାର ବି କଂପୁଟର ଡାଟା କରିପାରିବେ ଯାଞ୍ଚ, ଉଠିଲା ରାଜନୈତିକ ଝଡ

Published By : Prameya-News7 Bureau | December 21, 2018 IST

ନୂଆଦିଲ୍ଲୀ୨୧|୧୨: ନେସନ ଫାଷ୍ଟ। ମେକିଆଭେଲିଙ୍କ ଏହି ନୀତି ହିଁ ହୋଇଛି ବିତର୍କର ବିଷୟ। କେନ୍ଦ୍ର ଗୃହମନ୍ତ୍ରଳାୟ ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ କିଛି ଏମିତି ବିତର୍କ ଆରମ୍ଭ ହୋଇଛି। ଦେଶର ସୁରକ୍ଷା ସଂପର୍କରେ ସନ୍ଦେହ ଆସିଲେ ଯେକୌଣସି କମ୍ପ୍ୟୁଟରକୁ ଯାଞ୍ଚ କରିପାରିବ ଦେଶର ୧୦ଟି ତଦନ୍ତକାରୀ ସଂସ୍ଥା। ତେବେ ଗୃହ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶନାମାକୁ ନେଇ କିଛି ବିରୋଧୀଙ୍କ ହୃଦକମ୍ପ ଆରମ୍ଭ ହୋଇଯାଇଛି। କଡ଼ା ଭାଷାରେ ଏହାକୁ ନିନ୍ଦା କରିଛନ୍ତି। …..

ବିଗ ବ୍ରଦର ଇଜ ୱାଚିଂ  ୟୁ ।  ସବୁ କିଛି ଦେଖିବ, ସବୁ କିଛି ଯାଞ୍ଚ କରିବ ଦେଶର ୧୦ଟି ତଦନ୍ତକାରୀ ସଂସ୍ଥା। ଯଦି ସନ୍ଦେହ ପରିସରକୁ ଆସୁଛନ୍ତି ଆପଣଙ୍କ କମ୍ପ୍ୟୁଟରର ସବୁ ଡେଟା ଟିକିନିଖି କରି ଯାଞ୍ଚ କରିବ। ଦେଶର ସୁରକ୍ଷାକୁ ନଜରରେ ରଖି ଏମିତି ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।

କଂପ୍ୟୁଟରରେ କଣ ତଥ୍ୟ ରହିଛି, କେଉଁ ତଥ୍ୟ ପଠାଯାଇଛି ବା ଆସିଛି ସନେଇ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିପାରିବେ । ଏହି ୧୦ଟି ସଂସ୍ଥା ଭିତରେ ଅଛନ୍ତି ଇଣ୍ଟେଲିଜେନସ୍  ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ, ରାଜସ୍ବ ଗୁଇନ୍ଦା ସଂସ୍ଥା ଏବଂ ଦିଲ୍ଲୀ ପୋଲିସ କମିଶନର । କେବଳ କଲ୍  ବା ଇ-ମେଲ୍  ନୁହେଁ, କଂପ୍ୟୁଟରରେ ଥିବା ସମସ୍ତ ପ୍ରକାର ଡେଟାକୁ ଯାଞ୍ଚ କରିବା ସହ କଂପ୍ୟୁଟରକୁ ମଧ୍ୟ ସିଜ୍  କରିପାରିବେ ।

ଆଇଟି ଆକ୍ଟ ୨୦୦୦ର ୬୯ ଆକ୍ଟ ଅନୁଯାୟୀ ଗୃହ ବିଭାଗ ତଦନ୍ତକାରୀ ସଂସ୍ଥାକୁ ଏହି ଅଧିକାର ଦେଇଛି । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା କୁହା ଯାଇଛି ।

ତେବେ କଣ ଏହା ଏକ ରାଜନୈତିକ ସର୍ଜିକାଲ ଷ୍ଟ୍ରାଇକ୍‌। ବିରୋଧୀଙ୍କୁ ଜବତ କରିବା ଲାଗି ଏହା କେନ୍ଦ୍ର ସରକାର ବି ବିଜେପିର ଏକ ଉଦ୍ୟମ। ଏମିତି କିଛି ଚର୍ଚ୍ଚା ପଲିଟିକାଲ କରିଡରରେ ଜୋର ଧରିଛି। କାରଣ ବିମୁଦ୍ରୀକରଣ ଭଳି ଏହା ବି ବିରୋଧୀଙ୍କ ସବୁ ଗୋଟି ଚାଳନାକୁ ଅକାମୀ କରିଦେବ ଏହି ଗୋଟିଏ ନିର୍ଦ୍ଦେଶନାମା। ଗୋପନେ ଗୋପନେ ଯେଉଁମାନେ ଯାହା ଚାଲ ଚଲଉଥିବେ ଏବେ ସବୁ ଗୁଇନ୍ଦା ସଂସ୍ଥା ହାତରେ ଲାଗିବ। ଏମିତିବି ସିବିଆଇ ଭଳି ଗୁଇନ୍ଦା ସଂସ୍ଥାକୁ କେନ୍ଦ୍ର ସରକାର ପ୍ରଭାବିତ କରୁଥିବା ଅଭିଯୋଗ ପୁରୁଣା। ଆଉ ଏବେ ଏଭଳି ନିର୍ଦ୍ଦେଶନାମା ଦେଖି ବିରୋଧୀ ନେତାମାନେ ଚିହିଁକି ଉଠିଛନ୍ତି। ଏହା ସ୍ବାଧୀନତା ଉପରେ ଆକ୍ରମଣ ବୋଲି ଦର୍ଶାଇଛନ୍ତି।

ପୂର୍ବରୁ କୌଣସି ଇମେଲ ବା କାରବାରର ଟ୍ରାକିଂ କରୁଥିଲେ ଗୁଇନ୍ଦା ସଂସ୍ଥା । କିନ୍ତୁ ଏବେ ସନ୍ଦେହ ହେବାମାତ୍ରେ ଗୁଇନ୍ଦା ସଂସ୍ଥା ସିଧା କମ୍ପ୍ୟୁଟର ସ୍କାନ କରି ସବୁ ଡେଟା ଖୋଳି ବାହାର କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.