୧୧୦ କୋଟି ଟଙ୍କାର ଋଣ ଜାଲିଆତି : ମାରୁତିର ପୂର୍ବତନ ମୁଖ୍ୟ ଖଟ୍ଟରଙ୍କ ବିରୋଧରେ କେଶ୍ କଲା ସିବିଆଇ
24/12/2019 at 4:45 PM

ନୂଆଦିଲ୍ଲୀ ୨୪।୧୨: ଜଗଦିଶ୍ ଖଟ୍ଟରଙ୍କ ନାମରେ ସିବିଆଇର ଏଫଆଇ ଆର୍ । ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ରେ ୧୧୦ କୋଟି ଟଙ୍କା ଋଣ ଜାଲିଆତି ମାମାଲରେ ଖଟ୍ଟରଙ୍କୁ ଛନ୍ଦିଛି ସିବିଆଇ । ଋଣ ଜାଲିଆତି ମାମାଲାରେ ୭୭ବୟସ୍କ ଜଗଦିଶ୍ ଖଟ୍ଟରଙ୍କ ଘରେ ସିବିଆଇ ରେଡ୍ କରିଛି । ଜଗଦୀଶ ଖଟ୍ଟର ହେଉଛନ୍ତି ଦେଶର ନମ୍ବର ୱାନ୍ ଅଟୋ କମ୍ପାନୀ ମାରୁତି ସୁଜୁକୀ କମ୍ପାନୀର ପୂର୍ବତନ ମୁଖ୍ୟ । ସେ ୧୯୯୩ ରୁ ୨୦୦୭ ପର୍ଯ୍ୟନ୍ତ ମାରୁତି ଉଦ୍ୟୋଗରେ ଥିଲେ. ଏବଂ ଅବସର ସମୟରେ ସେ ମାରୁତିର ପରିଚାଳନା ନିର୍ଦ୍ଦେଶକ ଥିଲେ । ତେବେ ମାରୁତି ଛାଡିବାପରେ ଖଟ୍ଟର ପ୍ରତିଷ୍ଠା କରିଥିବା କମ୍ପାନୀ ନାମରେ ବ୍ୟାଙ୍କ ଋଣ ନେଇ ଠକିଥିବା ଅଭିଯୋଗ ହୋଇଛି ।

୨୦୦୭ ରେ ମାରୁତି ଉଦ୍ୟୋଗରୁ ଅବସର ପରେ ଜଗଦୀଶ ଖଟ୍ଟର କିଛି ସହଯୋଗୀଙ୍କ ସହ ମିଶି କାର୍ନେସନ ଅଟୋ ଇଣ୍ଡିଆ ଲିମିଟେଡ୍ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ । ସେହି କମ୍ପାନୀ ପିଏନବିରୁ ୧୭୦ କୋଟି ଟଙ୍କା ନେଇଥିଲେ । କିନ୍ତୁ ସେହି ଋଣ କାରବାରରେ ପିଏନବିର ୧୧୦ କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖଟ୍ଟର ଏବଂ କାର୍ନେସନ ଅଟୋ ଇଣ୍ଡିଆ ଲିମିଟେଡ୍ର ଅନ୍ୟ କର୍ମକର୍ତ୍ତାଙ୍କ ନାମରେ ଏଫଆଇଆର୍ ଦେଇଛି ସିବିଆଇ । ଅଭିଯୋଗରେ ଦର୍ଶାଯାଇଛି ଯେ, ଖଟ୍ଟର ଏବଂ ତାଙ୍କ କମ୍ପାନୀ କାର୍ନେସନ ଅଟୋ ଇଣ୍ଡିଆ ଲିମିଟେଡ୍ ଅସାଧୁ ଉପାୟରେ ତଥା ଜାଲିଆତି କରି ବ୍ୟାଙ୍କ୍ରେ ବନ୍ଧକ ଦେଇଥିବା ସଂପତ୍ତି ବିକ୍ରି କରିଦେଇଛନ୍ତି । ପିଏନବି ଋଣ ୨୦୧୫ ରେ ନନ୍ ପରଫର୍ମିଂ ଆସେଟ ଘୋଷିତ ହୋଇଥିବା ବେଳେ ୨୦୧୨ ରୁ ତାହା ପିଛିଲା ଭାବେ ଲାଗୁ ହୋଇଛି । ଏହି କାରଣରୁ ପିଏନବିର ୧୧୦ କୋଟି ଟଙ୍କା କ୍ଷତି ହୋଇଥିବାରୁ ସିବିଆଇ ମାମଲା ରୁଜ୍ଜୁ କରିଛି ।
