ପିପିଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | January 11, 2019 IST

କଟକ ୧୧|୧:  ପିପିଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଞ୍ଚ ଏଡିଜି । ତଳ କୋର୍ଟରେ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ଏହି ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ସାନି ଆବେଦନ କରିବ । କ୍ରାଇମବ୍ରାଞ୍ଚ ପାଖରେ ଯଥେଷ୍ଟ ପ୍ରମାଣ ଥିବା ଏଡିଜି କହିଛନ୍ତି ।

୨୦୧୧ ନଭେମ୍ବର ୨୯ । ପିପିଲି ଥାନା ଅର୍ଜୁନଗୋଦା ଗାଁର ବେବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ପରେ ସେ କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଧରି କୋମାରେ ପଡ଼ି ଚିକିତ୍ସିତ ହେଉଥିଲେ । ୬ ମାସ ଧରି କଟକ ଏସ୍‌ସିବି ମେଡିକାଲରେ କୋମା ଅବସ୍ଥାରେ ଚିକିତ୍ସିତ ହେବାପରେ ଜୁନ୍‌ ୨୧, ୨୦୧୨ରେ ଆଖିବୁଜିଥିଲେ ୧୯ ବର୍ଷୀୟା ପିପିଲି ଗଣବଳାତ୍କାର ପୀଡ଼ିତା ବେବିନା ବେହେରା । ବେବିନାଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଥିଲା ଚହଳ । ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଚାକିରୀରୁ ବହିଷ୍କାର କରାଯାଇଥିଲା । ପିପିଲି ଥାନା ପୋଲିସ ଏହି ଘଟଣାରେ ପ୍ରଥମ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା । ପରେ ଅବଶ୍ୟ ଅମୂଲ୍ୟ ଚମ୍ପତ୍ତିରାୟ ଏହା ବିରୋଧରେ ସ୍ୟାଟ୍‌ରେ ଆବେଦନ କରିଥିଲେ । ସ୍ୟାଟ୍ ଏବଂ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ ପୁଣିଥରେ ଚାକିରୀରେ ଅବସ୍ଥାପିତ କରାଯାଇଥିଲା ।  ଏହି ମାମଲାର ତଦନ୍ତ ପାଇଁ ଜଷ୍ଟିସ ପିକେ ମହାନ୍ତି କମିଶନ ଗଠନ ହୋଇଥିବା ବେଳେ କମିଶନ ୨୦୧୬ ମାର୍ଚ୍ଚ ୩୦ରେ ୪୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ।  ଏହି ରିପୋର୍ଟର ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଦାବି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.