ଜାଣନ୍ତୁ କାହିଁକି ଓ କେମିତି ହୋଇଥାଏ ସାଇକ୍ଲୋନ, ଟର୍ଣ୍ଣାଡୋ, ଟାଇଫୁନ୍ ଓ ହେରିକେନ

Published By : Prameya-News7 Bureau | October 11, 2018 IST

ଭୁବନେଶ୍ବର ୧୧|୧୦: ସାଇକ୍ଲୋନ, ଟର୍ଣ୍ଣାଡୋ, ଟାଇଫୁନ୍‌, ହେରିକେନ ମହାପ୍ରଳୟଙ୍କାରୀ ବାତ୍ୟାର ଭିନ୍ନ ଭିନ୍ନ ନାଁ । ହେଲେ କାମ ସମାନ ସମୁଦ୍ର ଭିତରୁ ବାହାରିବାର କିଛି ସମୟ ମଧ୍ୟରେ ସ୍ଥଳ ଭାଗରେ ରଚ୍ଚିଥାଏ ମହାପ୍ରଳୟ । ଯେଉଁଥିରୁ କେହିବି ବାଦ ପଡ଼ିନ୍ତି ନାହିଁ, ମଣିଷ ହୁଅନ୍ତୁ କି ଜୀନଜନ୍ତୁ । ତେବେ କେମିତି ସୃଷ୍ଟି ହୁଏ ପ୍ରଳୟଙ୍କରୀ ବାତ୍ୟା, ବାତ୍ୟା ସୃଷ୍ଟି ହେବାର କାରଣ କଣ । ସ୍ଥଳ ଭାଗରେ ପ୍ରଳୟ ସୃଷ୍ଟିକାରୀ ବାତ୍ୟାର ଉତ୍ପତିସ୍ଥଳ ସମୁଦ୍ର। ତେବେ ଗଭୀର ସମୁଦ୍ରର ଶାନ୍ତ ଜଳରାଶି କଣ ପାଇଁ ହୁଏ ଅଶାନ୍ତ। କାହିଁକି ଭୟଙ୍କର ରୂପ ଧାରଣ କରେ ସମୁଦ୍ର ?  ସମୁଦ୍ର ଉପରେ ଥିବା ବାୟୁ ୨୬.୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ଉତ୍ତପ୍ତ ହେଲେ କ୍ରମଶଃ ହାଲୁକା ହୋଇ ଉପରକୁ ଉଠିଥାଏ। ସମୁଦ୍ର ପାଣି ମଧ୍ୟ ବାଷ୍ପୀଭୂତ ହୋଇ ବାଦଲରେ ପରିଣତ ହୋଇଥାଏ। ତେବେ ଉତ୍ତପ୍ତ ବାୟୁର ସ୍ଥାନ ପୂରଣ କରିବା ପାଇଁ ଅନ୍ୟ ଅଞ୍ଚଳରୁ ତଥା ସ୍ଥଳଭାଗରୁ ଥଣ୍ଡାବାୟୁ ସେହି ସ୍ଥାନକୁ ଯାଇଥାଏ । ପରବର୍ତ୍ତି ସମୟରେ ସେହିସ୍ଥାନରେ ସୃଷ୍ଟି ହୋଇଥାଏ ଲଘୁଚାପ ବା ଲୋପ୍ରେସର । ଯାହାର ଚାରିପଟେ ଥିବା ବାୟୁ କ୍ରମେ ସକ୍ରିୟ ମଧ୍ୟ ହୋଇଥାଏ ।ଚାରିପଟରେ ଥିବା ବାୟୁ ଘୁରୁଥିବା ବେଳେ କେନ୍ଦ୍ରସ୍ଥଳର ବେଗ କମିଯାଇଥାଏ । ଫଳରେ କେନ୍ଦ୍ରସ୍ଥଳରେ ଏକ ଚିହ୍ନ ସୃଷ୍ଟି ହୋଇଥାଏ। ଯାହାକୁ ତାହାର ଆଖି ବୋଲି କୁହାଯାଇଥାଏ । ସବୁ ବାତ୍ୟାର ଉତ୍ପତିସ୍ଥଳ ସମୁଦ୍ର ହୋଇଥିଲେ ହେଁ ଗତି ଭିନ୍ନ ଭିନ୍ନ ହୋଇଥାଏ। ଉତ୍ତରମେରୁ ପଟରେ ହେଉଥିବା ବାତ୍ୟା ବାମ ଦିଗରେ ଘୁରୁଥିବା ବେଳେ ଦକ୍ଷିଣମେରୁ ପଟରେ ହେଉଥିବା ବତ୍ୟା ଦକ୍ଷିଣ ଦିଗରେ ଘୁରିଥାଏ । ଚାରୋଟି ଅବସ୍ଥା ଦେଇ ଆରମ୍ଭରୁ ଶେଷ ହୋଇଥାଏ ବାତ୍ୟା ।ପ୍ରଥମେ ଲଘୁଚାପ ଅବପାତରେ ପରିଣତ ହୋଇଥାଏ । ପରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ଓ ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ କ୍ରମଶଃ ସ୍ଥଳ ଭାଗ ମୁହାଁ ହୋଇଥାଏ ସାମୁଦ୍ରିକ ଝଡ଼ । ବାତ୍ୟାର ଭୟାବହତା ଏହାର ଗତି ଉପରେ ନିର୍ଭର କରିଥାଏ। ଯେଉଁ ଝଡ଼ ଯେତେ କମ୍‌ ବେଗରେ ସ୍ଥଳ ଭାଗ ଆଡ଼କୁ ଆସିଥାଏ ତାହା ସେତେ ଭୟଙ୍କର ହୋଇଥାଏ ।ସମୁଦ୍ର ଭିତରେ ଅଧିକ ସମୟ ରହିବା ଦ୍ବାରା ତାହା ଲ୍ୟାଣ୍ଡଫଲ ହେବା ବେଳେ ଅଧିକ ବେଗରେ ପବନ ବହିଥାଏ ଯେମିତି ୧୯୯୯ ମସିହା ମହାବାତ୍ୟା ଓ ଫାଇଲିନ ସମୟରେ ଆମ ରାଜ୍ୟରେ ହୋଇଥିଲା । ଉତ୍ପତି ହେବାର ୨ ରୁ ୬ ଦିନ ମଧ୍ୟରେ ବାତ୍ୟାର ସ୍ଥିତି ଏବଂ ପ୍ରଭାବ ସମ୍ପର୍କରେ ଜଣାପଡ଼ିଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.