ଚୋରା ଚାଲାଣ ବେଳେ ୪୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର, ୩ ଜଣଙ୍କୁ ଅଟକ ରଖିଲା ପୋଲିସ
12/06/2020 at 2:03 PM

ସାଲେପୁର ୧୨।୬: ଚୌଦ୍ବାର ଥାନା ଅନ୍ତର୍ଗତ ସୁଲତାନ ନଗରଠାରେ ବେଆଇନ ଗୋରୁଚାଲଣ ରାକେଟକୁ ଧରିଲା ପୋଲିସ । ୪୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିବାବେଳେ ୩ ଜଣଙ୍କୁ ଅଟକ ରଖିଛି । ରାକେଟ୍ ର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।
ଦୀର୍ଘଦିନ ହେବ ଚୌଦ୍ବାରରୁ ଭଦ୍ରକ ଅଞ୍ଚଳକୁ ବାରମ୍ବାର ଗୋରୁ ଚାଲଣ ହୋଇ ଆସୁଥିଲା । ବିଶେଷ ସୂତ୍ରରୁ ଖବରପାଇ ଗୁରୁବାର ବିଳମ୍ବିତ ରାତିରେ ସୁଲତାନ ନଗର ଅଞ୍ଚଳରେ ଅତର୍କିତ ଚଢାଉ କରି ପିକ୍ଅପ ଏବଂ ଟଟାଏସି ଗାଡିରେ ଗୋରୁ ବୋଝେଇ ସମୟରେ ଚଢାଉ କରିଥିଲା ପୋଲିସ । ୪୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖିଛି ।
ଗୋରୁ ଚୋରାଚାଲାଣ ରାକେଟର ସଦସ୍ୟମାନେ ଚୌଦ୍ବାର ଆଖପାଖ ଅଞ୍ଚଳ ସାଲେପୁର, ଆଠଗଡ, ବଡମ୍ବା, ତିଗିରିଆ, ଟାଙ୍ଗୀ ଇତ୍ୟାଦି ଅଞ୍ଚଳରୁ ଗୋରୁଙ୍କୁ ଆଣି ସୁଲତାନ ନଗର ଅଞ୍ଚଳରେ ରଖିବା ପରେ ସେଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାରେ ଚାଲାଣ କରିଥାନ୍ତି । ତେବେ ଚୌଦ୍ବାର ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରଯାଇ ଅତର୍କିତ ଚଢାଉ କରାଯାଇଥିଲା ।