ହକି ବିଶ୍ବକପକୁ ଆଉ ମାତ୍ର ୮ ଦିନ : ରାଜଧାନୀକୁ ଦାମି ଫୁଲଗଛରେ ସଜାଉଛନ୍ତି ସରକାର, ସେପଟେ ବୁଲା ଗାଇ କରୁଛନ୍ତି ନଷ୍ଟ

Published By : Prameya-News7 Bureau | November 19, 2018 IST

ଭୁବନେଶ୍ବର ୧୯|୧୧: ହକି ବିଶ୍ବକପକୁ ଆଉ ମାତ୍ର ୮ ଦିନ । ସାରା ବିଶ୍ବରୁ ଆସିବେ ଖେଳାଳୀ ଓ ହକିପ୍ରେମୀ । ସେଥିପାଇଁ ରାଜଧାନୀ ଭୁବନେଶ୍ବରକୁ ଦିଆଯାଉଛି ନୂଆ ରୂପ । ଜି ଜାନ୍ ଲଗେଇ ଦେଇଛନ୍ତି ସରକାର, ବିଭିନ୍ନ ବିଭାଗର ଅଧିକାରୀ । ସବୁ ମୁଖ୍ୟ ରାସ୍ତା ଡିଭାଇଡରରେ ଲାଗିଛି ଦାମୀ ଫୁଲ, ସୋ ଗଛ । କିନ୍ତୁ ଜଗା ରଖା ପାଇଁ କେହି ନାହାନ୍ତି । ଗଛ ଗୁଡିକୁ ବୁଲା ଗାଈ ଗୋରୁ ଖାଇବା ସହ ଦଳି ମକଚି ନଷ୍ଟ କରୁଛନ୍ତି । ଜୟଦେବ ବିହାରରୁ ପଟିଆ ରାସ୍ତା । ଡିଭାଇଡର ଉପରେ ଲାଗିଥିବା ଗଛକୁ ନିର୍ଭୟରେ ଖାଉଛନ୍ତି ବୁଲା ଗାଈଗୋରୁ । ଖାଲି ଖାଉ ନାହାନ୍ତି, ଦଳି ଚକଟି ନଷ୍ଟ କରି ପକାଉଛନ୍ତି । ଅନେକ ସମୟରେ ସେଠାରେ ଶୋଉଥିବା ବି ଦେଖିବାକୁ ମିଳୁଛି । ଏମିତି ହେଲେ ହକି ବିଶ୍ବକପ୍ ବେଳକୁ ଏସବୁ ଥିବ କି ନାହିଁ ସନ୍ଦେହ । ଡିଭାଇଡରରେ ଲାଗିଥିବା ଗୋଟିଏ ଗୋଟିଏ ଗଛର ଦାମ୍ ୧୦୦ ଟଙ୍କାରୁ ଅଧିକ । ଏତେ ଦାମୀ ଗଛର ସୁରକ୍ଷା ପାଇଁ ବାଡ ଲାଗିନି କି ଜଗାରଖା କରିବାକୁ କେହି ନାହାନ୍ତି । ରାସ୍ତା ଘାଟରେ ଯେଭଳି ଗାଈଗୋରୁ ନବୁଲିବେ ସେଥିପାଇଁ କିଛି ଦିନ ତଳେ ବିଏମସି ଘର ଘର ବୁଲି ଗାଈଗୋରୁଙ୍କ କାନରେ ଟ୍ୟାଗ୍ ଲଗାଇଥିଲେ । କିନ୍ତୁ ସେହି ଯୋଜନା କାର୍ଯ୍ୟକାରୀ ହେଲା ଭଳି ଲାଗୁନି । ସେପଟେ କିନ୍ତୁ ମେୟର କହୁଛନ୍ତି ଗଛ ଖାଉଥିବା ଗାଇଗୋରୁଙ୍କ ମାଲିକମାନଙ୍କ ଠାରୁ ଫାଇନ୍ ଆଦାୟ ହେବ । ଏଥି ସହ ଗଛ ସୁରକ୍ଷା ପାଇଁ ଲୁହା ବାଡ ଲଗାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.