ବିଲେଇ ମଧ୍ୟ କରୋନା ସଂକ୍ରମିତ ହୋଇ ପାରେ, ଏହି ପଶୁ ଶରୀରରେ ରହିଛି ଆଣ୍ଟିବଡି ବିକଶିତ କରିବାର କ୍ଷମତା: ଅଧ୍ୟୟନରୁ ଖୁଲାସା

Published By : Prameya-News7 Bureau | September 22, 2020 IST

ନୂଆଦିଲ୍ଲୀ ୨୨।୦୯: ସମଗ୍ର ଦୁନିଆର ରିସର୍ଚ୍ଚ ଲାବୋରାଟୋରିଜ କୋଭିଡ୍-୧୯ ଭାଇରସ୍‌ର ମୁକାବିଲା ପାଇଁ ନୂତନ ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଚଳାଇଛନ୍ତି। ସମଗ୍ର ବିଶ୍ଵରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି।

ସ୍ପେନର ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ବିଲେଇ ମଧ୍ୟ କରୋନା ସଂକ୍ରମିତ ହୋଇ ଆଣ୍ଟିବଡି ବିକଶିତ କରିପାରେ। ଏହାର ରୋଗ ପ୍ରତିରୋଧକ ଶକ୍ତି ଭୂତାଣୁକୁ ବାନ୍ଧି ରଖିପାରେ। ପ୍ରୋସିଡିଙ୍ଗ ଅଫ ଦ ନ୍ୟାସନାଲ ଏକାଡେମୀ ଅଫ ସାଇଁସେଜ୍(ପିଏନଏଏସ) ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ ଇନଷ୍ଟିଚ୍ୟୁୟଟ୍ ଅଫ ଏଗ୍ରୀଫୁଡ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି(IRTA)ର ବୈଜ୍ଞାନିକଙ୍କ ଏକ ଟିମ୍ ସ୍ପେନରେ କୋଭିଡ୍-୧୯ରେ ସଂକ୍ରମିତ ପ୍ରଥମ ବିଲେଇର କେସ୍‌ ଉପରେ ଗବେଷଣା କରିଛନ୍ତି।

ନେଗ୍ରିଟୋ ନାମକ ଏହି ୪ ବର୍ଷୀୟ ବିଲେଇ କୋଭିଡ୍-୧୯ର ସଂକ୍ରମିତ ପରିବାର ସହିତ ରୁହେ। ବିଲେଇ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବାରୁ ତାକୁ ବାର୍ସେଲୋନାର ଏକ ପଶୁ ଚିକିତ୍ସାଳୟ ଅଣାଯାଇଥିଲା। ବିଲେଇର ହାର୍ଟର ପରୀକ୍ଷା କରାଯାଇଥିଲା। ବିଲେଇର ସ୍ଥିତି ଗୁରୁତର ହୋଇ ପଡିଥିଲା। ଫଳରେ ବିଲେଇକୁ ଇଚ୍ଛାମୃତ୍ୟୁ ଦିଆଯାଇଥିଲା।

ଆରଟି-ପିସିଆର ପରୀକ୍ଷଣରୁ ଜଣା ପଡିଥିଲା ଯେ, ବିଲେଇଟି କୋଭିଡ୍-୧୯ ସଂକ୍ରମିତ ଥିଲା। ମାତ୍ର ଭାଇରସ୍‌ର ଚାପ ବିଲେଇ ଶରୀରରେ ବହୁତ କମ ଥିଲା। ବିଶେଷ ଲକ୍ଷଣ ମଧ୍ୟ ଦେଖାଯାଉନଥିଲା।  ନେଗ୍ରିଟୋ ସହିତ ସେହି ଘରେ ରହୁଥିବା ଅନ୍ୟ ଏକ ବିଲେଇକୁ ମଧ୍ୟ ବୈଜ୍ଞାନିକ ପରୀକ୍ଷଣ କରିଥିଲେ। ପରୀକ୍ଷଣରୁ ଦେଖିବାକୁ ମିଳିଲା ଯେ ଦୁଇ  ବିଲେଇଠାରେ କୋଭିଡ୍-୧୯ ବିରୋଧରେ ଆଣ୍ଟିବଡି ବିକଶିତ କରିଥିଲେ। ଅନ୍ୟ ବିଲେଇର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଅର୍ଥାତ ଏହି ବିଲେଇ ଶରୀରରେ ଅଧିକ ଆଣ୍ଟିବଡି ବିକଶିତ  ହୋଇ ସାରିଥିଲା।

ଅଧ୍ୟୟନରୁ  ଜଣାପଡିଛି ଯେ, ବିଲେଇର ପ୍ରତିରକ୍ଷା ପ୍ରଣାଳୀ କୋଭିଡ୍-୧୯ର ମୁକାବିଲା କରିପାରେ। ଏଥିସହିତ କିଛି ମାମଲାରେ ଲକ୍ଷଣଠୁ ମଧ୍ୟ ଶରୀରକୁ ବଞ୍ଚାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.